Home ରାଜ୍ୟ ନାରାୟଣଙ୍କୁ ନେଇ ଅଡ଼ୁଆରେ କମିସନରେଟ୍‌ ପୁଲିସ୍‌

ନାରାୟଣଙ୍କୁ ନେଇ ଅଡ଼ୁଆରେ କମିସନରେଟ୍‌ ପୁଲିସ୍‌

କଟକ : କଟକରେ ସିରିଜ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଉଠାଇ ଆଣିଥିବା ନୟାଗଡର ନାରାୟଣ ସାହୁକୁ ପୁଲିସ କୋର୍ଟଚାଲାଣ କରୁନାହିଁ କାହିଁକି? ଅଭିଯୁକ୍ତକୁ ଧରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟଚାଲାଣ କରିବାର ବ୍ୟବସ୍ଥା ଥିବାବେଳେ ‘ଷ୍ଟୋନମ୍ୟାନ’ କୁହାଯାଉଥିବା ନାରାୟଣକୁ ୨୯ ତାରିଖରୁ ଆଣି ଏଯାଏ ଜେରା କରୁଛି। ନାରାୟଣ ଧରାପଡ଼ିବା ସମୟକୁ ଏବେ ୭୨ ଘଣ୍ଟା ପୂରିବାକୁ ଯାଉଛି। ନାରାୟଣ ଅଭିଯୁକ୍ତ। ସେ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତି ବୋଲି ମାନୁଛି। ତେବେ ସମାନ ଢଙ୍ଗରେ ହୋଇଥିବା ଖାନନଗର ଓ ରାଣୀହାଟ ହତ୍ୟାକାଣ୍ଡରେ କିଏ ସଂପୃକ୍ତ ‌ତାହା ପ୍ରଶ୍ନବାଚୀ ହୋଇ ରହିଯାଇଛି।

ପୁଲିସ ଗଲା ୨୯ ତାରିଖ ଭୋର୍‌ରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁରେ ରହୁଥିବା ନାରାୟଣ ସାହୁ(୩୫)କୁ କଟକ ଉଠାଇ ଆଣିଥିଲା। ସିଏ ରାଣୀହାଟ କେନାଲ ରୋଡ ଅଞ୍ଚଳର ମଜୁରିଆ ଗୋଧି କାଳିଆ ଓରଫ କୋଦଣ୍ତ ରାଉତ, ଓଏମପି ଓଭର ବ୍ରିଜ ତଳେ ଜରିଗୋଟାଳୀ ଏବଂ ପାରାଳା ମହାରାଜ ଉଦ୍ୟାନ ସାମନା ଫୁଟପାଥର ପଣ୍ଡାକୁ ହତ୍ୟା କରିଥିବା ପୁଲିସ ଦାବି କରିଥିଲା। ରାଣୀହାଟରେ ଭୋର ୪ଟାବେଳେ ହତ୍ୟାକାଣ୍ଡ ପରେ ୪ଟା ୫ ବେଳକୁ ନାରାୟଣ କଟକ ସୁଇଟ୍ସ ଷ୍ଟଲ ବାଟେ ଫେରୁଥିବା ଏକ ସିସି କ୍ୟାମେରାରୁ ଜଣାପଡ଼ିଥିଲା। ଓଏମ୍‌ପିରେ ଯେଉଁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ ସହିତ ନାରାୟଣର ପୂର୍ବ ବିବାଦ ଥିଲା। ନାରାୟଣ କୌଣସି ମାନସିକ ରୋଗରେ ଆକ୍ରାନ୍ତ ନାହିଁ ବୋଲି ପୁଲିସ ଗଲାକାଲି କହିଥିଲା। କିନ୍ତୁ ଏଭଳି ସୂଚନା ଏକ ନୂଆ ଦ୍ବନ୍ଦ୍ବ ଆଡକୁ ଆଙ୍ଗୁଠି ଦେଖାଉଛି। ଜଣେ ସୁସ୍ଥ ମସ୍ତିଷ୍କର ଲୋକ ରାଣୀହାଟରେ ପ୍ରଥମ ହତ୍ୟାକାଣ୍ତ ଘଟାଇବା ପରେ କଟକରେ ରହିବ ଏବଂ ୨୪ ଘଣ୍ଟା ପରେ ଆଉ ଦୁଇଟି ହତ୍ୟାକାଣ୍ଡ କରି ସହରରୁ ଫେରାର ହେବ? ଏଭଳି କ’ଣ ସମ୍ଭବ? ଯୋଜନାବଦ୍ଧ ଭାବେ ୩ ବା ୨ଟି ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ପୂର୍ବରୁ କୌଣସି ଅପରାଧରେ ସଂପୃକ୍ତ ନ ରହିବା ବି ଅନେକଙ୍କୁ ଚକିତ କରୁଛି।
ରାଣୀହାଟ, ପାରଳା ମହାରଜା ଏବ˚ ଓଏମ୍‌ପି ଓଭରବ୍ରିଜ ନିକଟରେ ଘଟିଥିବା ତିନିଟି ହତ୍ୟାକାଣ୍ତରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ସିଧାସଳଖ ଘଟଣାର ସିସି କ୍ୟାମେରା ଫୁଟେଜ ନାହିଁ। ସାଧାରଣତଃ ବିନା ଶତ୍ରୁତାରେ ହତ୍ୟାକାଣ୍ଡ ଘଟିବାର ସମ୍ଭାବନା ଆଦୌ ନଥିବା ବେଳେ ନାରାୟଣ ଏବଂ ଅନ୍ୟ ତିନି ଜଣଙ୍କ ଭିତରେ ବାସ୍ତବରେ କି ପ୍ରକାର ଶତ୍ରୁତା ଥିଲା? ଘର ଭାଙ୍ଗିବାକୁ କେନ୍ଦ୍ର କରି କଣ ଜଣେ ତିନି ଜଣଙ୍କୁ କ’ଣ ହତ୍ୟା କରିପାରେ? ଯଦି ପୁଲିସର କହିବା ଅନୁଯାୟୀ, ପଣ୍ଡା ଓ ଜରିଗୋଟାଳୀଙ୍କୁ ସେହି ରାଗରେ ନାରାୟଣ ଭୋର ସମୟରେ ହତ୍ୟା କରିଛି, ତେବେ ରାଣୀହାଟ କେନାଲ ରୋଡରେ ଗୋଧି କାଳିଆ ଓରଫ କୋଦଣ୍ତ ରାଉତକୁ କାହିଁକି ହତ୍ୟା କଲା ନାରାୟଣ? ଗୋଧି କାଳିଆ ତ ରାଣୀହାଟରେ ରହୁଥିଲା। ନାରାୟଣ ମାଲଗୋଦାମ ଓଭରବ୍ରିଜ ତଳ ରେଳବାଇ ଏସପିଙ୍କ କାର୍ଯ୍ୟାଳୟ ସାମନାରେ ରହୁଥିଲା। ଏଭଳି ପ୍ରଶ୍ନ ଜାଲରେ କମିସନରେଟ୍ ପୁଲିସ ଗୁଡାଇ ହୋଇଥିବା କମିସନରେଟ ପୁଲିସ ବିଭିନ୍ନ କାରଣରୁ ନାରାୟଣକୁ କୋର୍ଟ ଚାଲାଣ କରି ପାରୁ ନଥିବା କୁହାଯାଉଛି।

ଅନ୍ୟପଟେ ଗୋଟିଏ ମାରଣାସ୍ତ୍ରରେ ତିନୋଟି ହତ୍ୟାକାଣ୍ଡ ଘଟିଥିବା ଏଫ୍ଏମଟି ରିପୋର୍ଟ କହୁଛି। କିନ୍ତୁ ସେ ଅସ୍ତ୍ର ଏବେ କେଉଁଠି? ତାହାକୁ କଣ ପୁଲିସ ଜବତ କରିଛି?

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିବା ଅନୁଯାୟୀ ଧାରା ୫୭ କ୍ରିମିନାଲ୍‌ ପ୍ରସିଡିଓର ଅନୁଯାୟୀ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସମୟ ଭିତରେ ଅଭିଯୁକ୍ତକୁ ହାଜର କରିବାକୁ ବାଧ୍ୟ। ଯଦି ଦୂର ସ୍ଥାନରୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛି, ତେବେ ସେଠାକାର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରି ପୁଲିସ ରିମାଣ୍ତରେ ଆଣିବ। ସର୍ବନିମ୍ନ ପ୍ରମାଣ ଆଧାରରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିବାର ନିୟମ ରହିଛି। ପରେ ଅଧିକ ପ୍ରମାଣ ପାଇଁ ତାକୁ ରିମାଣ୍ଡରେ ଆଣିପାରିବ। କିନ୍ତୁ ଏ ଘଟଣାରେ ପୁଲିସ ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା କୋର୍ଟରେ ହାଜର ନକରିବା ଅର୍ଥ ଅଭିଯୁକ୍ତ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଏଇଟା ସମ୍ପୂର୍ଣ୍ଣ ଆଇନ ବିରୋଧୀ। କୌଣସି ପରିସ୍ଥିତିରେ ଏତେ ଦିନ ପୁଲିସ ଜଣେ ବ୍ୟକ୍ତିକୁ ରଖିପାରିବ ନାହିଁ।