Home ରାଜ୍ୟ ରାଜ୍ୟର ସିପକ୍‌ଟାକ୍ର ପ୍ରତିଭା ବୁଲୁ:ବିଶ୍ୱ ଚାମ୍ପିୟନଶିପ୍‌ ବିଜେତା ହୋଇ ବି ଦିନ ମଜୁରିଆ

ରାଜ୍ୟର ସିପକ୍‌ଟାକ୍ର ପ୍ରତିଭା ବୁଲୁ:ବିଶ୍ୱ ଚାମ୍ପିୟନଶିପ୍‌ ବିଜେତା ହୋଇ ବି ଦିନ ମଜୁରିଆ

ନିକଟ ଅତୀତରେ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଶେଷ ହୋଇଛି ୩୩ତମ କିଙ୍ଗ୍ସକପ୍‌ ସିପକ୍‌ଟାକ୍ର ବିଶ୍ୱ ଚାମ୍ପିୟନଶିପ । ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତ ଦଳଗତ ରାଉଣ୍ଡରେ ଶକ୍ତିଶାଳୀ ଫ୍ରାନ୍ସକୁ ହରାଇ ଟାଇଟଲ ବିଜୟୀ ହୋଇଥିଲା । ତେବେ ଭାରତକୁ ସୁନା ମୁକୁଟ ପିନ୍ଧାଇବାରେ ପ୍ରମୁଖ ଭୂମିକା ନେଇଥିଲେ କଟକର ପ୍ରତିଭାବାନ ଖେଳାଳି ବୁଲୁ ପାତ୍ର । ବୁଲୁ ରାଜ୍ୟର ଏକମାତ୍ର ଖେଳାଳିଭାବେ ଜାତୀୟ ପୁରୁଷ ଦଳରେ ଷ୍ଟ୍ରାଇକର ଭାବେ ସାମିଲ ହୋଇଥିଲେ । ତେବେ ଦୁଃଖର କଥା ହେଉଛି, ଦେଶକୁ ବିଶ୍ୱସ୍ତରରେ ଚାମ୍ପିୟନ ଆଖ୍ୟା ଦେଇଥିବା ବୁଲୁ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଦୟନୀୟ । ଘର ଚଳାଇବାକୁ ବାପା ଦୀର୍ଘବର୍ଷ ଧରି ଦିନମଜୁରିଆ ଭାବେ କାମ କରି ଆସୁଛନ୍ତି, ଖେଳରେ ଲାଗି ରହିଲେ ପରିବାର ଚଳିବ ନାହିଁ ବୋଲି ବୁଲୁଙ୍କର ମତ । ଖେଳରେ ଯେତେ ସଫଳ ହେଲେ ବି ଭବିଷ୍ୟତ ସବୁବେଳେ ଆଶଙ୍କାରେ ରହୁଛି । କୌଣସି ପ୍ରୋତ୍ସାହନ ମିଳୁ ନ ଥିବାରୁ ବାଧ୍ୟ ହୋଇ ମଜୁରିଆ ଭାବେ କାମ କରୁଛି ବୋଲି ବୁଲୁ କହିଥିଲେ ।
ପାକିସ୍ତାନକୁ ହରାଇ ଖୁସି ମିଳିଥିଲା
ବିଶ୍ୱ ଚାମ୍ପିୟନଶିପ୍‌ରେ ଫାଇନାଲରେ ଫ୍ରାନ୍ସକୁ ଓ ସେମିଫାଇନାଲରେ ସୁଇଜରଲାଣ୍ଡକୁ ହରାଇବା ସଂଘର୍ଷପୂର୍ଣ୍ଣ ଥିଲା ସତ, ହେଲେ ଲିଗ୍‌ ପର୍ଯ୍ୟାୟରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସବୁଠାରୁ ଅଧିକ ଖୁସି ହୋଇଥିଲୁ ବୋଲି ବୁଲୁ କୁହନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରହିଥିଲା । ହେଲେ ଏହି ମ୍ୟାଚ୍‌କୁ ଆମେ ୨୧-୭ ପଏଣ୍ଟରେ ଏକତରଫା ଭାବେ ଜିତିଥିଲୁ ।
ଫୁଟବଲରୁ ସିପକ୍‌ଟାକ୍ର
ପିଲାଟି ବେଳୁ ଫୁଟବଲ ଖେଳ ପ୍ରତି ଆଗ୍ରହ ରହିଥିଲା । କିଛି ବର୍ଷ ଫୁଟବଲ ଖେଳରେ ମଧ୍ୟ ଜଡ଼ିତ ରହିଥିଲି । ପରେ ରାଜ୍ୟ ସିପକ୍‌ଟାକ୍ର ଖେଳ ଦାୟିତ୍ୱ ବୁଝୁଥିବା କ୍ରୀଡ଼ା ସଙ୍ଗଠକ ସହଦେବ ରାଉତ ମୋତେ ଏଥିରେ ସାମିଲ ହେବାକୁ କହିଥିଲେ । ପ୍ରଥମେ ସିପକ୍‌ଟାକ୍ର ଖେଳିବି ନା ନାହିଁ ଚିନ୍ତାରେ ପଡ଼ିଥିଲି । ମାତ୍ର ଭିଡ଼ ଭିତରୁ ବାହାରି ଗୋଟିଏ ଖେଳରେ କ୍ୟାରିୟର ଗଢ଼ିବି ବୋଲି ଭାବି ସିପକଟାକ୍ରକୁ ବାଛିଥିଲି ।
ଭାରତ ଜର୍ସି ପିନ୍ଧିବା ଗୌରବ କଥା
ଥାଇଲାଣ୍ଡରେ ବିଶ୍ୱ ଚାମ୍ପିୟନଶିପ୍‌ ଖେଳିବି ବୋଲି ଆଶା ନ ଥିଲା । ରାଜ୍ୟ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ ଜାନୁୟାରୀରେ ଦିଲ୍ଲୀଠାରେ ହୋଇଥିବା ଟ୍ରାଏଲରେ ସାମିଲ ହେବାକୁ ମୋ ନାଁ ସୁପାରିସ କରିଥିଲେ । ଟ୍ରାଏଲରେ ଭଲ ପ୍ରଦର୍ଶନ କରିବା ପରେ ଗତ ସେପ୍ଟେମ୍ବରରେ ଜାତୀୟ ଦଳର ପ୍ରସ୍ତୁତି ଶିବିରକୁ ମୋତେ ଡକରା ଆସିଥିଲା ଓ ବିଶ୍ୱ ଚାମ୍ପିୟନଶିପ୍‌ ନିମନ୍ତେ ଜାତୀୟ ଦଳରେ ସାମିଲ ହୋଇଥିଲି । ଆଗାମୀ ଦିନରେ ମଧ୍ୟ ଜାତୀୟ ଦଳରୁ ଖେଳିବାକୁ ସବୁବେଳେ ଚେଷ୍ଟା କରିବି । ଭାରତର ଜର୍ସି ପିନ୍ଧିବା ସବୁବେଳେ ଜଣେ ଖେଳାଳି ପାଇଁ ଗୌରବର କଥା ଓ ଲକ୍ଷ୍ୟ ବୋଲି ବୁଲୁ କହିଛନ୍ତି ।
ମେଡିସିନ କିଣିବାକୁ ପଇସା ନ ଥାଏ, ପଢ଼ିବି କେମିତି
କଟକର ବାରବାଟୀ ଷ୍ଟାଡିୟମ ନିକଟରେ ବୁଲୁଙ୍କର ଘର । ପରିବାର କହିଲେ ବାପା ଶ୍ରୀଧର ପାତ୍ର, ମା ଗାୟତ୍ରୀ ପାତ୍ର, ଜଣେ ସାନ ଭଉଣୀ ଓ ଜଣେ ବଡ଼ ଭାଇ । ବାପା ଶ୍ରୀଧର ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ଉପରେ ସମସ୍ତଙ୍କର ବୋଝ । ବେଳେ ବେଳେ ପରିବାରରେ କାହା ଦେହ ଖରାପ ହେଲେ ମେଡ଼ିକାଲ ଖର୍ଚ୍ଚ ପାଇଁ ଘରେ ପଇସା ନଥାଏ ବୋଲି ବୁଲୁ କୁହନ୍ତି । ଏହି ପରିସ୍ଥିତିରେ ପଢ଼ିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସମ୍ଭବ ହେଉନି ବୋଲି ସେ କୁହନ୍ତି । ବୁଲୁ ରଘୁନାଥଜୀଉ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟବର୍ଷର ଛାତ୍ର । ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମଫିଲ୍‌ଅପର ଖର୍ଚ୍ଚ ନ ଥାଏ ବୋଲି ବୁଲୁ କହିଥିଲେ ।
ପ୍ରୋତ୍ସାହନ ନାହିଁ ବୋଲି ଦିନ ମଜୁରି କରୁଛି
ବିଶ୍ୱ ଚାମ୍ପିୟନଶିପ୍‌ରେ ଜାତୀୟ ଦଳରେ ରହିଥିବା ଅନ୍ୟ ରାଜ୍ୟର ଖେଳାଳିମାନଙ୍କୁ ସେମାନଙ୍କ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ରାଶି ଦେଉଛନ୍ତି । ଦିଲ୍ଲୀର ଖେଳାଳିମାନଙ୍କୁ କିଛି ଦିନ ତଳେ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ରାଶି ଦିଆଯାଇଛି । ହେଲେ ଓଡ଼ିଶାରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତକୁ ବିଜୟୀ କରାଇଥିଲେ ମଧ୍ୟ କେହି ସାବାସି ଦେବାକୁ ମଧ୍ୟ ଆସିନାହାନ୍ତି । ଖେଳରେ ନିଜକୁ ବ୍ୟସ୍ତ ରଖିଲେ ପରିବାର ଅବସ୍ଥା ସଙ୍କଟାପନ୍ନ ହୋଇଯିବ। ଏଣୁ ଏକ ଘରୋଇ ଜାଗାରେ ଦିନ ମଜୁରିଆ ଭାବେ ଏବେ କାମ କରୁଛି ବୋଲି ବୁଲୁ କହିଛନ୍ତି।