Home ରାଜ୍ୟ ନିର୍ବାଚନ ପୂର୍ବରୁ ବାଜିଲା ତ୍ରିକୋଣୀୟ ବେଗୁଲ ; ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, କଂଗ୍ରେସ...

ନିର୍ବାଚନ ପୂର୍ବରୁ ବାଜିଲା ତ୍ରିକୋଣୀୟ ବେଗୁଲ ; ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, କଂଗ୍ରେସ ପାଳିଲା କଳା ଦିବସ , ବିଜେପି ମାଗିଲା ଜବାବ୍!


ଭୁବନେଶ୍ୱର ; ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲ ତ୍ରୀକୋଣୀୟ ନିର୍ବାଚନୀ ବେଗୁଲ । ଗୋଟିଏ ପଟେ ରାଜ୍ୟ ବିଜେଡି ନିଜର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିଜେଡିକୁ ଟାର୍ଗେଟ କରି ବିରୋଧୀ କଂଗ୍ରେସ ପାଳନ କରିଛି କଳା ଦିବସ ଏବଂ ବିଜେପି ମାଗିଛି ଜବାବ୍ । ତେବେ ଆଜି ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା ବିଜେଡି । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଏକ ବିଶାଳ ସଭା । ରାଜ୍ୟ ବିଜୁ ଜନତା ଦଳ କାର‌୍ୟ୍ୟାଳୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଜନ୍ମଦିନ ପାଳନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ସାଂସଦ ପ୍ରସନ୍ନ ପାଟଶାଣୀ , ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ମେୟର ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଦଳ ପାଇଁ ଗୋଟିଏ ମାସର ଦରମା ଦେଲେ ବିଜେଡି ବିଧାୟକ, ସାଂସଦ ଓ କର୍ମୀମାନେ । ମଞ୍ଚ ଉପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଥମେ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନିଜର ଗୋଟିଏ ମାସର ଦରମା ଦଳୀୟ ପାଣ୍ଠିକୁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ପରେ ଦଳର ଅନ୍ୟ ବିଧାୟକ, ସାଂସଦ ଓ କର୍ମୀ ମାନେ ଦଳୀୟ ପାଣ୍ଠିକୁ ଗୋଟିଏ ମାସର ଦରମା ଚେକ୍ ଆକାରରେ ପ୍ରଦାନ କରିଥିଲେ ।ସେହିପରି ଜିଲ୍ଲା, ବ୍ଲକ ଆଦି ସ୍ତରରେ ଅନୁରୂପ ଢ଼ଙ୍ଗରେ ଦଳର ପ୍ରତିଷ୍ଠା ଦିବସକୁ ପାଳନ କରାଯାଇଥିଲା ।
ସେପଟେ କିନ୍ତୁ ବିଜେଡିକୁ କାଉଣ୍ଟର କରିବା ପାଇଁ ଘେରିଛନ୍ତି ବିରୋଧୀ । ବିଜେପି ଆଜି ରାଜ୍ୟରେ ଆରମ୍ଭ କରିଛି ‘ଜବାବ ମାଗୁଛି ଓଡିଶା ଅଭିଯାନ’ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଏଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଓଡିଶା ମାଗେ ଜବାବ’ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛି ବିଜେପି । ସେହିପରି କଂଗ୍ରେସ ଆଜି ପାଳନ କରୁଛି କଳା ଦିବସ । ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଂଚାୟତର କ୍ଷମତାକୁ ସଂକୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରି କଳା ଦିବସ ଭାବେ ପାଳନ କରୁଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି କାର‌୍ୟ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ ସଦସ୍ୟ ।