Home ରାଜ୍ୟ କମିଶନରେଟ ପୋଲିସକୁ ଫିଟନେସ ଚିନ୍ତା, ଫିଟ୍‌ ନ ରହିଲେ ହରାଇବେ ଚାକିରି

କମିଶନରେଟ ପୋଲିସକୁ ଫିଟନେସ ଚିନ୍ତା, ଫିଟ୍‌ ନ ରହିଲେ ହରାଇବେ ଚାକିରି

ଭୁବନେଶ୍ୱର: କରୋନା ସମୟରେ କମିସନରେଟ୍ ପୁଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା । କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୁଲିସ କମିଶନର । କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିସନରେଟ୍ ପୁଲିସ ଫିଟନେସକୁ ଗୁରୁତ୍ୱ ଦେଇଛି। କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ ସ୍ୱାସ୍ଥ୍ୟବାନ୍ ହୋଇ ବିଭାଗରେ ଯୋଗ ଦିଅନ୍ତି । କିନ୍ତୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସେମାନେ ରକ୍ତଚାପ, ମଧୁମେହ,ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏଭଳି ଶାରୀରିକ ଅବସ୍ଥା ରହିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତି ପାଇଁ ଅଧିକ ବିପଦ ସୃଷ୍ଟି କରେ । ଏଥିପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ। ଏହା ପରେ ଲିଖିତ ଆକାରରେ ତାଙ୍କୁ ବଡି ମାସ ଇନଡେକ୍ସ ବା ବୟସ ଓ ଉଚ୍ଚତା ଅନୁସାରେ ଅନୁପାତିକ ଓଜନ କେତେ ହେବା କଥା ତାହା ଲିଖିତ ଭାବେ ଜଣାଇଦିଆଯିବ । ଏ ସମ୍ବନ୍ଧିୟ ତଥ୍ୟ ପୁଲିସ ଡାକ୍ତରଖାନାରେ ରଖାଯିବ । ପୁଣି ୩ ମାସ ପରେ ସମସ୍ତ ଓଜନ ମପାଯିବ ଓ ଦେଖାଯିବ । କେତେ ଓଜନ କମାଇଛନ୍ତି ତାହା ଜଣାପବ ।

ପୁଣି ତିନି ମାସ ପରେ ପୁଣି ଥରେ ନଭେମ୍ବର ମାସରେ ସମସ୍ତଙ୍କର ଓଜନ ନିଆଯିବ। ସେମାନେ ଓଜନ କମାଇବାକୁ ଚେଷ୍ଠା କରୁଛନ୍ତି କି ନାହିଁ, ତାହା ଦେଖାଯିବ। ତିନି ମାସ ପରେ ବିଶେଷ କରି ଯେଉଁମାନଙ୍କ BMI ୩୦ ଉପରେ ରହିବ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟାମ କରିବାକୁ ଆସିବାକୁ ପଡିବ ବା ଛ ସପ୍ତାହର refresher course ରେ ଯୋଗ ଦେବାକୁ ପଡିବ। ଏପରିକି ଇକ୍ରିମେଣ୍ଟ ବନ୍ଦ କରାଯିବା ସହ ଦରକାର ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ।

ଏଥିପାଇଁ ସମସ୍ତେ ଏହି ନିର୍ଦ୍ଦେଶକୁ ନିଜ ହିତ ଦୃଷ୍ଟିରୁ କଡାକଡି ପାଳନ କରିବା ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହି ଆଦେଶକୁ ଗୁରୁତ୍ୱ ଦେବେ ନାହିଁ ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।