Home ରାଜ୍ୟ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ,ଆଜି ସଂଧ୍ୟାରେ ନିରାଡମ୍ବର ଭାବେ ପାଳନ ହେବ ବାବାଙ୍କ ପତରପେଣ୍ଡି...

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ,ଆଜି ସଂଧ୍ୟାରେ ନିରାଡମ୍ବର ଭାବେ ପାଳନ ହେବ ବାବାଙ୍କ ପତରପେଣ୍ଡି ନୀତି

ସମ୍ବଲପୁର : ଆଜିଠୁ ଆରମ୍ଭ ହେବ ସମ୍ବଲପୁରର ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଆଜି ଶୀତଳଷଷ୍ଠୀ ପର୍ବର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ପତରପେଣ୍ଡି । ତେବେ ଗତ ଅକ୍ଷୟ ତୃତୀୟାରୁ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ସରିଛି । ଏଥିରେ କନ୍ୟା ପିତାମାତା ଚୟନ ହୋଇସାରିଛନ୍ତି ।

ଦେବ ଦେବ ମହାଦେବଙ୍କ ପାଇଁ ବରପିତା, ସପ୍ତଋଷିମାନେ କନ୍ୟା ସନ୍ଧାନରେ ଯିବେ । କନ୍ୟା ଘରେ ପହଞ୍ଚିବା ପରେ ସପ୍ତଋଷି କନ୍ୟାର ଗୁଣ ସୁନ୍ଦରତା ବରପିତାଙ୍କ ନିକଟରେ ବଖାଣି ୨୧ଟି ସରଗି ପତ୍ର, ଫୁଲ ଦେଇ ଦେବୀ ସାବିତ୍ରୀଙ୍କୁ ବୋହୁ ହିସାବରେ ବାଛିବାର କାର୍ଯ୍ୟକ୍ରମକୁ ହିଁ ପତରପେଣ୍ଡି କୁହାଯାଏ ।

ପତରପେଣ୍ଡି କାର୍ଯ୍ୟକ୍ରମ ତଥା ବିବାହ ପାଇଁ କିଣାବିକା ସାରିଲେଣି କନ୍ୟାପକ୍ଷ । ମାତା ପାର୍ବତୀଙ୍କ ପାଇଁ ବାସନକୁସନ, ଲୁଗାପଟାଠୁ ଆରମ୍ଭ କରି ଝିଅ ବିଦାର ସବୁ ସାମଗ୍ରୀ ଘରକୁ କିଣା ହୋଇ ଆସିଲାଣି । ତେବେ ସରକାରୀ କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବ ଏଥିରେ ଉପସ୍ଥିତ ରହିବେ ।

ନନ୍ଦପଡ଼ା ଏବଂ ମୋଦିପଡା଼ ପୂଜାକମିଟି ପକ୍ଷରୁ ସଂଧ୍ୟାରେ ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିବେ । ସଂଧ୍ୟାରେ ଦେବାଳୟରେ ପୂଜାର୍ଚ୍ଚନା ସାରିଲାପରେ ସପ୍ତରୁଷୀଙ୍କ ଗହଣରେ ବରପିତା ସରଗି ପତ୍ର,ବେଲପତ୍ର ଓ ଫୁଲ ଇତ୍ୟାଦି ନେଇ କନ୍ୟା ଅନ୍ୱେଷଣରେ ବାହାରିବେ । ଯେହେତୁ ସମ୍ବଲପୁର ସହରରେ ୫ ଜଣ କରୋନା ପଜିଟିଭ ବାହାରିଥିବାରୁ ପ୍ରଶାସନ ସମସ୍ତ ଯାତ୍ରା କମିଟିଙ୍କୁ ଯାତ୍ରା ବାହାର କରିବା ପାଇଁ ମନା କରିଛି । କେବଳ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହେବ ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ।