Home ରାଜ୍ୟ ବିଧାୟକ ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଲେ; କଂଗ୍ରେସ ହରାଇଲା ବିରୋଧି ଦଳର ମାନ୍ୟତା...

ବିଧାୟକ ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେଲେ; କଂଗ୍ରେସ ହରାଇଲା ବିରୋଧି ଦଳର ମାନ୍ୟତା !

ଭୁବନେଶ୍ୱର: ରାଜ୍ୟ ବିଧାନସଭାରୁ ବିରୋଧି ଦଳର ମାନ୍ୟତା ହରାଇବ କଂଗ୍ରେସ । ଦେଶରେ ବିରଳ ରେକର୍ଡ଼ କରିବାକୁ ଯାଉଛି ଓଡ଼ିଶା ବିଧାନସଭା । ବିନା ବିରୋଧିରେ ଶାସକ ବିଜେଡିର ଦବଦବା ଜାରି ରହିବ । ଯାହା ଗଣତନ୍ତ୍ର ପାଇଁ ଏକ ଅଶୁଭ ସଙ୍କେତ ପରି ଲାଗୁଛି । ଜାନୁୟାରୀ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ବିଧାୟକ ନବ ଦସ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବାଚଷ୍ପତି ପ୍ରଦୀପ ଅମାତଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ବରିଷ୍ଠ ବିଧାୟକ ଗତ ୨୪ ତାରିଖରେ ଝାରୁସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେବା ସହ ତାଙ୍କୁ ସମର୍ଥକ ମଧ୍ୟ ବିଜେଡିରେ ଯୋଗଦାନ କରିଥିଲେ । ପୂର୍ବରୁ କଂଗ୍ରେସ ବିଧାନସଭାରେ ୧୭ଟି ଆସନ ପାଇଁ ବିରୋଧି ଦଳର ମାନ୍ୟତା ପାଇଥିଲା କିନ୍ତୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଦଳରୁ ବହିସ୍କାର ହେବା ପରେ ବିରମିତ୍ରପୁର ବିଧାୟକ ଜଜ ତିର୍କି କଂଗ୍ରେସକୁ ଆସି ବିରୋଧି ଦଳର ମାନ୍ୟତା ବଜାଇ ରଖିଥିଲେ । କିନ୍ତୁ ବିଧାୟକ ନବ ଦାସ ବିଧାୟକ ପଦରୁ ଇସ୍ତଫା ଦେବାରୁ ଦଳ ବିରୋଧି ଦଳର ମାନ୍ୟତା ହରାଇଛି । ସମ୍ବିଧାନର ନିୟମ ଅନୁଯାୟୀ ବିଧାନସଭାରେ ୧୬ଟି ଆସନରେ ବିଜୟ ଲାଭ କଲେ ବିରୋଧି ଦଳର ମାନ୍ୟତା ପାଇବ । ତେବେ ରାଜ୍ୟ ବିଧାନସଭାରେ ବିରୋଧି ଦଳ କଂଗ୍ରେସ ବାଲାନ୍ସ ନରଖିପାରି ଏହି ମାନ୍ୟତା ହରାଇଛି । ଏବେ ବିନା ବିରୋଧରେ ବିଧାନସଭା ଠିଆ ହୋଇଛି । ମାତ୍ର ଆଉ କିଛି ମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଆସୁଥିବାରୁ ଏହାର ପ୍ରଭାବ ନଥିଲେ ମଧ୍ୟ ଏହାର ଚମକ କିନ୍ତୁ ରାଜ୍ୟ ରାଜନୀତିକୁ ସରଗରମ୍ କରୁଛି ।