Home ରାଜ୍ୟ ଓଡ଼ିଶାକୁ ଘନେଇ ଆସୁଛି ପଙ୍ଗପାଳ ବିପଦ

ଓଡ଼ିଶାକୁ ଘନେଇ ଆସୁଛି ପଙ୍ଗପାଳ ବିପଦ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟଗୁଡ଼ିକରେ ପଙ୍ଗପାଳ ଉତ୍ପାତ ଜାରି ରହିଥିବା ବେଳେ ଓଡ଼ିଶା ପ୍ରତି ମଧ୍ୟ ଏହି ବିପଦ ଘନେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆଲର୍ଟ ଜାରି କରିଛନ୍ତି । ତେବେ ପଙ୍ଗପାଳ ଦଳ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ଅଗ୍ନିଶମ ବିଭାଗକୁ ସତର୍କ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ରାଜ୍ୟରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖିଛି ଅଗ୍ନିଶମ ବିଭାଗ । ଯେଉଁ ଅଞ୍ଚଳ ଦେଇ ପଙ୍ଗପାଳ ଓଡ଼ିଶାକୁ ପ୍ରବେଶ କରିବେ ସେହି ସ୍ଥାନର ବ୍ୟାପକ ଅଞ୍ଚଳକୁ ଦମକଳ ଦ୍ବାରା କୀଟନାଶକ ସିଞ୍ଚନ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

‘‘ମଙ୍ଗଳବାର ଦିନ ରାଜ୍ୟ ସରକାର ଏ ନେଇ ଡ଼ାକି ଥିବା ଏକ ବୈଠକରେ ପଙ୍ଗପାଳ ସମସ୍ୟାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ପରେ ରାଜ୍ୟର ସବୁ ଦମକଳ କେନ୍ଦ୍ରଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଯଥେଷ୍ଟ ସଂଖ୍ୟକ ଦମକଳକୁ ମହଜୁଦ ରଖାଯାଇଛି । ଏଥି ପାଇଁ ଗଠିତ ହୋଇଥିବା ଷ୍ଟେଟ୍ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ ଖୋଲାରହିଛି । ପଙ୍ଗପାଳ ଦଳ ଆସିବା ମାତ୍ରେ ହିଁ ସେହି ସ୍ଥାନଗୁଡ଼ିକରେ କୀଟନାଶକ ସିଞ୍ଚନ କରାଯିବ । ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଦମକଳ ପ୍ରଭାବିତ ଅଞ୍ଚଳକୁ ପଠାଯିବ,’’ କହିଛନ୍ତି ଅଗ୍ନିଶମ ବିଭାଗ ଆଇ.ଜି. ଅସିତ ପାଣିଗ୍ରାହୀ ।

ପଙ୍ଗପାଳଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟକୁ ହାଇ ରିସ୍କ, ମୋଡ଼ରେଟ୍ ରିସ୍କ ଓ ଲୋ ରିସ୍କ ଭଳି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ ଜୋନରେ ନବରଙ୍ଗପୁର, ନୂଆପଡ଼ା, ମାଲକାନାଗିରୀ, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଥିବା ବେଳେ ମୋଡ଼ରେଟ୍ ରିସ୍କ ଜୋନରେ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳକୁ ରଖାଯାଇଛି । ବାକି ଜିଲ୍ଲାଗୁଡ଼ିକୁ ଲୋ ରିସ୍କ ଜୋନରେ ରଖାଯାଇଛି ।