Home ରାଜ୍ୟ ହକ ମାଗିଲେ ହତିଆର ; ବକେୟା ଚାଉଳ ମାଗିବାରୁ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କଲେ...

ହକ ମାଗିଲେ ହତିଆର ; ବକେୟା ଚାଉଳ ମାଗିବାରୁ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କଲେ !


କେଉଁଝର ; ଏଠି ହକ ମାଗିଲେ ଉଠୁଛି ହତିଆର । ମାଗଣା ଚାଉଳ ଗରିବ ପେଟକୁ ପୁଣି ଲାତ ମାରିଛି । ବକେୟା ଚାଉଳ ମାଗିବାରୁ ଜଣେ ଗରିବ ମହିଳାଙ୍କୁ ଅତି ନୃଶଂସ ଭାବେ ମାରି ନୟାନ୍ତ କରିଛନ୍ତି କିଛି ମୁଷ୍ଠିମୟ ଲୋକ । କେଉଁଝର ଜିଲ୍ଲା ଘଟଗାଁ ମୁକ୍ତାପୁର ପଞ୍ଚାୟତରେ ଚାଉଳ ବଣ୍ଟ ବେଳେ ଏପରି ଦାରୁଣ ପରିଣତି ଦେଖିବାକୁ ମିଳିଛି । ଉକ୍ତ ଗରିବ ମହିଳା ଜଣକ ଡଳଙ୍ଗପାଣି ଗାଁର ଆଦିବାସୀ ମହିଳା ସରସ୍ୱତୀ ମୁଣ୍ଡା । ସରସ୍ୱତୀ ଗତକାଲି ସ୍ୱାମୀ ରବି ମୁଣ୍ଡାଙ୍କ ସହ ପଞ୍ଚାୟତକୁ ଚାଉଳ ନେବାକୁ ଆସିଥିବା ବେଳେ ପୂର୍ବ ମାସର ବକେୟା ଚାଉଳ ମାଗିବାରୁ ତାଙ୍କୁ ଦିଆଯାଇନଥିଲା । କିନ୍ତୁ ସେ ବକେୟା ଚାଉଳ ନେବା ପାଇଁ ଜିଦ୍ କରିବାରୁ ସେଠାରେ ଥିବା କିଛି ପୁରୁଷ ଓ ମହିଳା ମିଶି ତାଙ୍କୁ ଚୁଟି ଘୋଷାରି ମାରିବା ସହ ତଳେ କଚାଡି ଦେଇଥିଲେ । ଫଳରେ ସରସ୍ୱତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ତାଙ୍କୁ ଗ୍ରାମରକ୍ଷୀ ତୁରନ୍ତ ଘଟଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ରାଜ୍ୟ ସରକାର ଗରିବ ହଟାଅ ନାରାରେ ନାନ ଯୋଜନା ଆପଣାଉଛନ୍ତି, ଏଥିପାଇଁ ଦେଶ ବିଦେଶରୁ ସୁନାମ ମଧ୍ୟ ସାଉଣ୍ଟୁଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏଠି ବାଟବଣା ହେଉଛି । ଉକ୍ତ ଅସାଧୁ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳର ବୁଦ୍ଧିଜିବି ଲୋକ ଦାବି ଉଠାଇଛନ୍ତି । ତୁରନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲେଣି ଆଦିବାସୀ ।