Home ଅପରାଧ ପୁଣି ଖାକି ପୋଷାକରେ ଲାଗିଲା ଦାଗ

ପୁଣି ଖାକି ପୋଷାକରେ ଲାଗିଲା ଦାଗ

ଭୁବନେଶ୍ୱର : କରୋନା ଯୋଦ୍ଧା ସାଜିଥିବା ପୁଲିସ୍‌କୁ ଏବେ କିଛି କର୍ମଚାରୀଙ୍କ ପାଇଁ ଖାକି ପୋଷାକରେ ଦାଗ ଲାଗୁଛି । ପୂରା ପୁଲିସ ବାହିନୀ ବଦନାମ୍‌ ହେଉଛି । ଏହି ତାଲିକାରେ ପୁଣି ଜଣେ କନ୍‌ଷ୍ଟେବଲଙ୍କ ନାଁ ଯୋଡ଼ି ହୋଇଛି । ପୁଲିସଠୁ ସୁରକ୍ଷା ମାଗିବାକୁ ଯାଇଥିବା ଜଣେ ମହିଳାଙ୍କୁ କନ୍‌ଷ୍ଟେବଲ ଜଣଙ୍କ ୨ ସାଙ୍ଗଙ୍କ ସହ ମିଶି ଅପହରଣ ଓ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ସହିଦନଗର ଅଞ୍ଚଳରେ । ଅଭିଯୁକ୍ତ କନ୍‌ଷ୍ଟେବଲ ହେଲେ ଦଶରଥ ନାୟକ । ସେ ଓଡି଼ଶା ଆର୍ମଡ୍‌ ପୁଲିସ ଫୋର୍ସ (ଓଏପିଏଫ୍‌)ରେ ୩ ବର୍ଷ ହେଲା ଚାକିରି କରିଛନ୍ତି । ଏବେ ଖଣ୍ଡଗିରି ଥାନାର ପିସିଆର୍‌ରେ ଡ୍ୟୁଟି କରୁଛନ୍ତି । ଅନ୍ୟ ୨ ଅଭିଯୁକ୍ତ ହେଲେ ପାତ୍ରପଡ଼ାର ଶ୍ରୀକାନ୍ତ ରାଉତ ଓ କାଳୁ ବାରିକ । ଏମାନଙ୍କ ବିରୋଧରେ ସହିଦନଗର ଥାନା ଅଧୀନ ମହର୍ଷି କଲେଜ ନିକଟରେ ରହୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ।

ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ କୌଣସି କାରଣକୁ ନେଇ ରବିବାର ରାତିରେ ମାରଧର କରି ଘରୁ ତଡ଼ି ଦେଇଥିଲେ । ଅସହାୟ ମହିଳା ଜଣକ ପୁଲିସ୍‌କୁ ସୁରକ୍ଷା ମାଗିବାକୁ ଚାଲି ଚାଲି ସହିଦନଗର ଥାନାକୁ ଯାଉଥିଲେ । ବାଟରେ ୩ ଅଭିଯୁକ୍ତ ତାଙ୍କୁ ଅଟକାଇ ଥିଲେ । ନିଜକୁ ପୁଲିସ ପରିଚୟ ଦେଇ ଥାନାକୁ ନେବା ବାହାନାରେ ଅଟୋରେ ବସାଇ ଥିଲେ । ପରେ ବିଭିନ୍ନ ସ୍ଥାନ ବୁଲାଇବା ସହ ଅସଦାଚରଣ କରିଥିଲେ । ମହିଳାଙ୍କ ସନ୍ଦେହ ହେବାରୁ ତମାଣ୍ଡୋ ଠାରେ ସେ ଅଟୋରୁ ଡେଇଁ ପଡିଥିଲେ ।

ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ୩୬୫ (ଅପହରଣ), ୩୫୪ (ନାରୀଙ୍କ ଇଜ୍ଜତ ଉପରେ ବଳପୂର୍ବକ ଆଘାତ), ୩୪୨ (ଅନ୍ୟାଯ୍ୟ ଅବରୋଧ ନିମନ୍ତେ ଦଣ୍ଡ) ଓ ୩୪ ଆଇପିସି ଦଫା ଲଗାଇଛି । ଆଜି ମହିଳାଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଆସନ୍ତାକାଲି ସେଠାରେ ୩ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ ବୋଲି ପୁଲିସ କହିଛି ।