Home ରାଜ୍ୟ ପୁଣି ଅଲୋଡା ହେଲା ଶିଶୁକନ୍ୟା!

ପୁଣି ଅଲୋଡା ହେଲା ଶିଶୁକନ୍ୟା!


କୋରାପୁଟ: ଦୁନିଆ ଆଗରେ ପିଲାଙ୍କୁ ପରିଚେୟ ଦେବା ପୂର୍ବରୁ ଆଖି ବୁଜିଦେଲା ମା । ଆଉ ମା ଛେଉଣ୍ଡ ହୋଇଗଲେ ଦୁଇ ଶୁଶୁକନ୍ୟା । ଯୁଗେଯୁଗେ କୁହାଯାଇଛି ମା ନାହିଁ ଯାହାର ସାହା ନାହିଁ ତାହାର । ଏହି କଥାକୁ ପୁଣି ମନେ ପକାଇଦେଇ ଚାଲିଯାଇଛନ୍ତି ଆଉ ଜଣେ ‘ମା’ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ସୂଚନାମୁତାବକ, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କାରିବେଡା ଗ୍ରାମର ଜଣେ ମହିଳା ଗତ ୨୩ ତାରିଖରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସୀମାନ୍ତ ଗାଁରୁ ବହୁ କଷ୍ଟରେ ତାଙ୍କୁ ଅଟୋରେ ପଟାଙ୍ଗୀ ଡାକ୍ତରଖାନାକୁ ଅଣାଯାଉଥିଲା । କିନ୍ତୁ ମେଡିକାଲ ଯିବାକୁ ଡେରି ହେବାରୁ ବାଟରେ ମହିଳା  ଜଣଙ୍କର ପ୍ରସବ ହୋଇଯାଇଥିଲା   । ଆଉ ସେ ଜନ୍ମ ଦେଇଥିଲେ ଦୁଇ ଯାଆଁଳା ଶିଶୁକନ୍ୟାକୁ । ତେବେ ଅସୁରିକ୍ଷିତ ଭାବେ ପ୍ରସବ କରିଥିବାରୁ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କ ଘର ଲୋକେ ପଟାଙ୍ଗି ଡାକ୍ତାରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା। ନବଜାତ ଦୁଇ ଶିଶୁଙ୍କ ଅବସ୍ଥା ଠିକ୍ ଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜର ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ନଭେମ୍ବର ୨୪ ତାରିଖରୁ ଏଠାରେ ରଖି ସେମାନଙ୍କ ଚିକିତ୍ସା କରାଯାଉଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ପରେ ମେଡିକାଲରୁ ଡିସଚାର୍ଜ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ସପ୍ତାହକ ତଳେ କହିଥିଲେ। ଏହା ପରଠାରୁ ପରିବାର ଲୋକେ ଆଉ ଡାକ୍ତରଖାନାକୁ ଆସି ନ ଥିଲେ। ଦୁଇ ଶିଶୁ କନ୍ୟାଙ୍କ ପରିବାର ଡାକ୍ତରଖାନାକୁ ନ ଆସିବାରୁ ଅଡ଼ୁଆରେ ପଡ଼ି ଯାଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ସେମାନେ ଏଥିନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କୁ ଜଣାଇଥିଲେ।
ପରେ ସେ ଡାକ୍ତରଖାନାକୁ ଯାଇ ଶିଶୁ କନ୍ୟାଙ୍କୁ ଦେଖିବା ସହ ଏଥିନେଇ ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଦୁଇ ପିଲାଙ୍କ ପାଖରେ ପହଞ୍ଚିଥିଲେ। ପରେ ଦୁଇ ଶିଶୁଙ୍କୁ ମିଶନ ଅଫ ଚାରିଟି ସଂସ୍ଥାକୁ ହସ୍ତାନ୍ତର କରି ଲାଳନ ପାଳନ ଦାୟିତ୍ୱ ଦିଆଯାଇଛି।
ଅନ୍ୟପଟେ ଦୁଇ ଝିଅ ଇଶା ଓ ଆଗ୍ନେଶଙ୍କର ବାପା ଓ ଅନ୍ୟ ସଂପର୍କୀୟ ଥାଇ ମଧ୍ୟ କାହିଁକି ପରିବାର ଲୋକେ ଝିଅ ଦୁଇଟିକୁ ଛାଡ଼ି ଚାଲିଗଲେ ତାକୁ ନେଇ ବି ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଅନୁମାନ କରାଯାଉଛି କି କନ୍ୟା ବୋଲି ସେମାନେ ଅଲୋଡ଼ା ହୋଇଗଲେ ନା’ ଦାରିଦ୍ର‌୍ୟ ଚାପରେ ବାପା ଏମିତି କଠିନ ନିଷ୍ପତ୍ତି ନେଲେ ତାହା ବି ସ୍ପଷ୍ଟ ହୋଇନି। ଅନ୍ୟପଟେ ଦୁର୍ଗମ ଅଂଚଳର ହୋଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ବି ହୋଇପାରିନି।