Home ଦେଶ- ବିଦେଶ ଆଜି ବିଜେପିର ଭର୍ଚୁଆଲ ରାଲି; ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବା ଲକ୍ଷ

ଆଜି ବିଜେପିର ଭର୍ଚୁଆଲ ରାଲି; ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବା ଲକ୍ଷ

37

ଭୁବନେଶ୍ୱର: ବିଜେପିର ପ୍ରସ୍ତାବିତ ଓ ବହୁ ଚର୍ଚ୍ଚିତ ଭର୍ଚୁଆଲ ରାଲିର ଆଜି (ଜୁନ୍‌ ୮, ସୋମବାର) ଶୁଭାରମ୍ଭ ହେଉଛି । ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିବେ। ଏଥି ପାଇଁ ରାଜ୍ୟ ବିଜେପି ବ୍ୟାପକ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଛି। ଏହି ରାଲି ଓ ଅନ୍ୟ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ବିଜେପିର ଥିବା  ୩୭,୦୦୦ ସାଙ୍ଗଠନିକ ବୁଥକୁ ଯୋଡ଼ିବାକୁ ଉଦ୍ୟମ କରିବା ସହିତ ରାଜ୍ୟରେ ମୋଟ ଏକ କୋଟି ଲୋକଙ୍କୁ ଯୋଡ଼ିବାର ପ୍ରୟାସ ହେବ ବୋଲି କହିଛି ରାଜ୍ୟ ବିଜେପି । ବିଜେପିର ଏହି ଭର୍ଚୁଆଲ ରାଲିକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ବିଜେଡି କହିଛି ଏହା ବିଜେପିର ଦଳୀୟ ବ୍ୟାପାର।

ରାଜ୍ୟ ବିଜେପି ନୂଆ ଦିଲ୍ଲୀରୁ ହେବାକୁ ଥିବା ଏହି ଭର୍ଚୁଆଲ ରାଲି ପାଇଁ  ପ୍ରସ୍ତତି ଜୋରଦାର କରିଛି । ସୋମବାର ଅପରାହ୍ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବ ସ୍ଵତନ୍ତ୍ର ଆୟୋଜନ। ଏଥିରେ କୋଭିଡ ମହାମାରୀ ପାଇଁ ଧାର୍ଯ୍ୟ ସାମାଜିକ ଦୂରତ୍ୱ ରଖି ରାଜ୍ୟ ସଭାପତି ଓ କୋର ଟିମର ସଦସ୍ୟମାନେ  ଉପସ୍ଥିତ ରହିବେ । ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଉପସ୍ଥିତ ରହିବେ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ । ‘ଆତ୍ମ ନିର୍ଭର ଭାରତ’ ସହିତ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଓ ଅନୁଦାନ ବିଷୟରେ ଏହି କାର୍ଯ୍ୟକ୍ରମରେ କହିପାରନ୍ତି ଅମିତ ଶାହ ।

‘‘ରାଜ୍ୟରେ ବିଜେପିର ଥିବା ୩୭ ହଜାର ସାଙ୍ଗଠନିକ ବୁଥକୁ ଯୋଡ଼ାଯିବା ଉଦ୍ୟମ ସହ ଆମେ ଓଡ଼ିଶାରେ କୋଟିଏ ଲୋକଙ୍କୁ ଯୋଡିବାର ପ୍ରୟାସ କରିବୁ । ଅର୍ଥାତ ପ୍ରତି ବୁଥରୁ ୫ ଜଣ ଲେଖାଏଁ ସଦସ୍ୟଙ୍କୁ ଦଲୀୟ କାର୍ଯ୍ୟକ୍ରମ ସହ ଯୋଡ଼ାଯିବ । ୱେବ ଏକ୍ସ, ୟୁଟ୍ୟୁବ, ଫେସବୁକ, ଟ୍ୱିଟର ମାଧ୍ୟମରେ ଦଳର ଉଦ୍ୟମ ପହଞ୍ଚିବ ଲୋକଙ୍କ ପାଖରେ । ସୋମବାର ଅପରାହ୍ଣ ୪ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ଭୁବନେଶ୍ୱର ଅଫିସରେ ଗୋଟିଏ ମଞ୍ଚ ଓ ନୂଆ ଦିଲୀରେ ଏକ ମଞ୍ଚ ରହିବ । ଦୁଇଟି ମଞ୍ଚକୁ ଭର୍ଚୁଆଲ ବ୍ୟବସ୍ଥାରେ ଏକ ପ୍ଲାଟଫର୍ମରେ ପରିଣତ କରାଯିବ,’’ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ।

ଏହି ଭର୍ଚୁଆଲ ରାଲି ନେଇ ଶାସକ ଦଳ ବିଜେଡିର ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମ ଦଳର ସମସ୍ତେ କରୋନା ଲଢ଼େଇରେ ଲାଗିଛନ୍ତି । ଜୁନ ୩୦ ପର୍ଯ୍ୟନ୍ତ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଦଳ ଆୟୋଜନ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। କିଏ କ’ଣ କଲା ସେ ଭିନ୍ନ କଥା। ସବୁ ଦଳ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ କରିପାରିବେ । ଆମର ସେଥିରେ କିଛି କହିବାର ନାହିଁ ।’’