Home ରାଜ୍ୟ ‘ BeautifulPlace ,Good People’ ଜରିଆରେ ନବୀନ ବଖାଣିଲେ ଓଡିଶା ଏବଂ ଓଡିଆର ମହନୀୟତା !

‘ BeautifulPlace ,Good People’ ଜରିଆରେ ନବୀନ ବଖାଣିଲେ ଓଡିଶା ଏବଂ ଓଡିଆର ମହନୀୟତା !

ଭୁବନେଶ୍ୱର ; ‘ପୁରୁଷ ବିଶ୍ୱ କପ ହକି’ ଏବଂ ‘ମେକ ଇନ ଓଡିଶା କନକ୍ଲେଭ’ ର ସଫଳତା ପରେ ଓଡିଶା ଅନେକ ପ୍ରଶଂସା ସାଉଣ୍ଟିଛି । ବିଶ୍ୱ କପ ହକି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଓଡିଶା ଆସିଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ପର୍ଯ୍ୟଟକମାନେ ଓଡିଶାର ଭୂରି ଭୂରି ପ୍ରଶଂସା କରିଛନ୍ତି । ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀରେ ଏକ ପ୍ରବନ୍ଧ ଲେଖିଛନ୍ତି । ତାଙ୍କ ରଚିତ ପ୍ରବନ୍ଧ‘ BeautifulPlace ,Good People ’ ରେ ନବୀନ ଲେଖିଛନ୍ତିି ଯେ….ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବିଶ୍ୱ ପ୍ରସିଦ୍ଧ କଳାକାର,ସାଂସ୍କୃତିକ ତଥା କ୍ରୀଡା ଜଗତର ଖ୍ୟାତାନାମ ବ୍ୟକ୍ତିତ୍ୱ,ବିଭିନ୍ନ ଦେଶର ରାଷ୍ଟ୍ରଦୂତ,୧୬ ଟି ଦେଶର ଖେଳାଳି,କର୍ମକର୍ତ୍ତା ତଥା ଉଚ୍ଚ ପଦାଧିକାରୀମାନଙ୍କୁ ଯେବେ ଓଡିଶା ତରଫରୁ ଭେଟିଛି ,ସେତେବେଳେ ସମସ୍ତଙ୍କ ମୁହଁରୁ ବାରମ୍ବାର ଗୋଟିଏ କଥା ପ୍ରତିଧ୍ୱନିତ ହେଉଥିଲା “ କେତେ ସୁନ୍ଦର ଏ ଜାଗା, କେତେ ଭଲ ଲୋକେ” । ଘନ ଅରଣ୍ୟାନୀ ,ସ୍ନିଗ୍ଧ,ମନୋରମ ବେଳାଭୂମି ଏବଂ କାଳଜୟୀ କୀର୍ତ୍ତିରାଜିରେ ବିମଣ୍ଡିତ ଓଡିଶା ବାସ୍ତବିକ ଧରାପୃଷ୍ଠରେ ଏକ ସୁନ୍ଦର ଭୁମି- ବାସ୍ତବିକ ଏହା ଇଶ୍ୱରଙ୍କ ଉପହାର ତା ସହିତ ଓଡିଆ ଜାତିର ଭଲପଣିଆ . . . . . ଏହା ମୋତେ ଭାବପ୍ରବଣ କରି ଦେଇଛି ।
ଭଲ ଲୋକଙ୍କ ସାନିଧ୍ୟ ସବୁବେଳେ ଉତ୍ସାହପ୍ରଦ ।ଏହା ଏକ ଅନନ୍ୟ ଅନୁଭବ । ଭଲପଣ ମଣିଷକୁ ସହଜ କରିବା ସହିତ ବ୍ୟକ୍ତି ଭିତରେ ଥିବା ସର୍ବୋତ୍କୃଷ୍ଟ ଗୁଣକୁ ପ୍ରକାଶ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଓଡିଶା ଆସୁଥିବା ଲୋକମାନେ ଓଡିଶା ଲୋକମାନଙ୍କ ଭଲ ଗୁଣ ଏବଂ ଭଲପାଇବା ଦ୍ୱାରା ଏତେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି ଯେ ସେମାନେ ଅନ୍ୟ ସ୍ଥାନକୁ ଗଲେ ଏହି ଭଲପାଇବାର ଅଭାବକୁ ଅନୁଭବ କରି ଆମକୁ ସେମାନଙ୍କ ସହିତ ତୁଳନା କରି ବସୁଛନ୍ତି ।


ନବୀନ ପଟ୍ଟନାୟକ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆମ ଓଡିଆଙ୍କ ବ୍ୟବହାରର ୪ଟି ମୌଳିକ ଦିଗ ଆମର ଭଲ ପଣିଆର ପରିପ୍ରକାଶ କରେ । ପ୍ରଥମଟି ହେଉଛି, ଅନ୍ୟମାନଙ୍କ ପ୍ରତି ଆମର ସମ୍ମାନବୋଧ । ଆମର ପୂର୍ବପୁରୁଷ ମାନଙ୍କର ସମସ୍ତଙ୍କ ପ୍ରତି ଗଭୀର ସମ୍ମାନ ରହିଥିଲା-ସେ ସଜିବ ହେଉ ବା ନିର୍ଜୀବ । ଏହା ସେମାନଙ୍କ ବୈାଦ୍ଧିକ ଜ୍ଞାନ ବା ପାଣ୍ଡିତ୍ୟର ଉଦାହରଣ ନଥିଲା ବରଂ ଏହା ସେମାନଙ୍କ ଆଧ୍ୟତ୍ମିକ ଅନୁଭବରୁ ହିଁ ଆସିଥିଲା । ଆଧ୍ୟତ୍ମିକ ଅନୂଭୂତିରୁ ଆମେ ଜାଣୁ ଯେ ଆମର ସମସ୍ତ ବସ୍ତୁ ସହିତ ସମ୍ପର୍କ ରହିଛି,ତେଣୁ ଆମେ ସମସ୍ତଙ୍କୁ ସମ୍ମାନର ସହିତ ଦେଖିବା ଉଚିତ । ଆମ ବ୍ୟବହାରର ପରବର୍ତ୍ତୀ ଦିଗଟି ହେଉଛି ବିନମ୍ରତା । ଦେଖିବାକୁ ଗଲେ, ବିନମ୍ରତା ବିନା କେହି ଅନ୍ୟର ସମ୍ମାନଭାଜନ ହୋଇପାରିବ ନାହିଁ । ଦୁର୍ଭାଗ୍ୟବଶତଃ ,ବିନମ୍ରତାକୁ ଅନେକ ସମୟରେ ଭୟାଳୁ ଓ ଆଜ୍ଞାବହ ସ୍ୱଭାବର ପରିପ୍ରକାଶ ବୋଲି ଧରି ନିଆଯାଏ । ମୋ ମତରେ କିନ୍ତୁ ଏହା ଠିକ୍ ନୁହେଁ । ଆମର ଗଭୀର ଆତ୍ମବିଶ୍ୱାସରୁ ହିଁ ବିନମ୍ରତାର ଜନ୍ମ । ବିନମ୍ରତାର ଏପରି ଏକ ଶକ୍ତି ରହିଛି ଯାହା କି ପରିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବାସ୍ତବରେ,ବିନମ୍ରତା ହେଉଛି ଅଧିକ ଶକ୍ତିଶାଳୀ । ବିନମ୍ରତା ନଥିଲେ ଆମେ ଭଲ କଥା ଗ୍ରହଣ କରିବାର ଶକ୍ତି ହରାଇଥାଉ । କଥାରେ ଅଛି ଗିରି ଶୃଙ୍ଗ ଯେତେ ଉଚ୍ଚ ଓ ଦୃଢ ହେଲେ ବି , ବୁନ୍ଦାଏ ବର୍ଷା ଜଳ ଧାରଣ କରିବାର କ୍ଷମତା ତାର ନଥାଏ । ଅପରପକ୍ଷରେ ଉପତ୍ୟକାରେ ଥିବା ହ୍ରଦ ହିଁ କେବଳ ବର୍ଷାଜଳ ଧାରଣ କରିପାରେ । ତେଣୁ କୌଣସି ଉତ୍ତମ ବିଚାର ଧାରଣ କରିବାକୁ ହେଲେ,ଆମର ମନ ହ୍ରଦ ଭଳି ହେବା ଆବଶ୍ୟକ ।
ତୃତୀୟ ମୌଳିକ ଦିଗଟି ହେଉଛି ସରଳତା । ଓଡିଆ ଲୋକ ସରଳ । ସରଳ ହେବା ଅର୍ଥ ନିର୍ବୋଧ ନୁହେଁ । ଏହା କୁହାଯାଇପାରେ ଯେ ଶ୍ରେଷ୍ଠ ବ୍ୟକ୍ତି ହିଁ ସବୁଠୁ ସରଳ । ନମ୍ରତା ଆକର୍ଷିତ କରେ । ଉଚ୍ଚ ଆଦବକାଇଦା ମଣିଷ ମଧ୍ୟରେ ଦୂରତା ସୃଷ୍ଟି କରେ । ଏସବୁ ବ୍ୟତିତ, ମୋ ବିବେଚନାରେ ଚତୁର୍ଥ ଦିଗଟି ହେଉଛି ସିଷ୍ଟାଚାରୀ ହେବା ପାଇଁ ଆମ ମଧ୍ୟରେ କିଛି ପରିମାଣର କ୍ଷମା ଗୁଣ ମଧ୍ୟ ରହିବା ଜରୁରୀ । ଭଲ ଲୋକମାନେ ସହଜରେ କ୍ଷମା କରିଦିଅନ୍ତି । କ୍ଷମାର ଆତ୍ମଶୋଧନ ଶକ୍ତି ରହିଛି । ମଣିଷ ପଣିଆ କାଳେ କାଳେ ବଞ୍ôଚ ରହିଛି । ତେଣୁ କେବେ କେବେ କେଉଁଠି ନା କେଉଁଠି ଆମେ କ୍ଷମା ଦେଇଛୁ । ଆମେ ଯେତେବେଳେ କ୍ଷମା କରିବାର ଶକ୍ତି ହରାଇ ବସୁ ,ସେତେବେଳେ ପରିବାର ,ସମାଜ ଓ ଦେଶ ଭାଙ୍ଗିଯାଏ ।
ମୁଁ ଚାହେଁ ଆମେ ସମସ୍ତେ ଜାଣିବା ଦରକାର ଯେ ଆମ ସୌାଜନ୍ୟତା ଏବେ ଦୁନିଆ ନଜରକୁ ଆସିଛି । ଏହାକୁ ଦୁନିଆ ପସନ୍ଦ ମଧ୍ୟ କରିଛି । ଏହା ସମଗ୍ର ଓଡିଆ ଜାତିର ସାମୂହିକ ତଥା ସାମଗ୍ରିକ ଚରିତ୍ର । ଯଦି ପାଖରେ ଟଙ୍କା ଅଛି,ତେବେ ଆପଣ ସୁଦୃଶ୍ୟ ସଡକ ,ଗଗନଶ୍ଚୁମ୍ବୀ ଅଟ୍ଟାଳିକା ,ବନ୍ଦର,କାରଖାନା ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସବୁକିଛି ଗଢିପାରିବେ । କିନ୍ତୁ ଭଲ ମଣିଷ ପଣିଆକୁ ଟଙ୍କାରେ ମୂଲ କରାଯାଇପାରିବ ନାହିଁ । ଏହା ଅମୂଲ୍ୟ । ଆମେ ବହୁତ ଭାଗ୍ୟବାନ ଯେ ପିଢି ପରେ ପିଢି ଆମ ପୂର୍ବପୁରୁଷ ମାନେ ଆମକୁ ସମ୍ମାନ ବୋଧ , ବିନମ୍ରତା,ସରଳତା ଓ କ୍ଷମାଶିଳତା ଆଦି ସଦଗୁଣ ଶିଖାଇଛନ୍ତି । ଏହାକୁ ଆମେ ଉତ୍ତରାଧିକାର ସୂତ୍ରରେ ପାଇଛୁ । ଏହିସବୁ ସୁଗୁଣ ଗୁଡିକ ମିଶି ଆମକୁ ସୌଜନ୍ୟଶୀଳ କରିଛି ଏବଂ ଏହା ଆମର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେମାନେ ଉତ୍ତାରଧିକାର ସୂତ୍ରରେ ପାଇଥିବା ଏହି ମହାନ ସଂସ୍କାର ପାଇଁ ନିଜକୁ ଗୌରବାନୀତ୍ୱ ମନେକରିବା ଉଚିତ । ଏହା କୌାଣସି ନିର୍ଦିଷ୍ଟ ବ୍ୟକ୍ତିବିଶେଷ ବା ନିର୍ଦ୍ଦିଷ୍ଟ ସମୟରେ ଉପଲବ୍ଧୀ ନୁହେଁ । ଶତାଦ୍ଦୀ ଶତାଦ୍ଦୀ ଧରି ସମୟର କଷଟି ପଥରରେ ପରୀକ୍ଷିତ ଏହା ଆମର ସାମୂହିକ ଉତ୍ତରାଧିକାର । ଓଡିଆ ଜାତିର ଭଲ ପଣିଆ ହେଉଛି ଓଡିଆଙ୍କ ଶ୍ରେଷ୍ଠ ପରିଚୟ । ଏହି ଭଲପଣିଆ ସବୁକାଳେ ଆମ ପରିଚୟ ହୋଇ ରହିବା ଉଚିତ ।

                                                  ( ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ପ୍ରବନ୍ଧ )