ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବରକୁ ନେଇ ତାତିଲା ଓଲିଉଡ୍‌, ୨ ଥାନାରେ ଏତଲା

Odisha Hot News
2 Min Read

ଭୁବନେଶ୍ବର: ବର୍ଷୀୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରଚାରକୁ ନେଇ ଓଲିଉଡ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପୂର୍ବରୁ ମଧ୍ୟ ଅନ୍ୟ କଳାକାରଙ୍କୁ ନେଇ ଏଭଳି ମିଥ୍ୟା ଖବର ପ୍ରଚାରିତ ହୋଇଛି। ତେଣୁ ଏଭଳି ଗୁଜବ କରୁଥିବା ଅଭିଯୁକ୍ତଙ୍କ ବିରୋଧ‌‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଓଲିଉଡ୍‌ ପକ୍ଷରୁ ଦାବି କରାଯାଇଛି। ଏନେଇ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍‌ ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ଏକ ଏତଲା ଦାୟର କରାଯାଇଛି। ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି, ସମ୍ପାଦକ ଶ୍ରୀରାମ ଦାସଙ୍କ ସମେତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ଉଷଶୀ ମିଶ୍ର, ପପୁ ଶାନ୍ତୁକା, ବିଜୁ ବଡ଼ଜେନା, ରୁଦ୍ର ପାଣିଗ୍ରାହୀ ଓ ଓଡ଼ିଆ ଫିଲ୍ମ ଫୋରମ୍‌ର ପ୍ରତିଷ୍ଠାତା ସଞ୍ଜୟ ମହାକୁଡ଼ ପ୍ରମୁଖ ଏତଲା ଦେଇଥିଲେ। ସେହିପରି ଆ ସୋସିଏସନ୍‌ର ସଦସ୍ୟମାନେ ଆଜି ଅପରାହ୍‌ଣ‌ରେ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଏଭଳି ଗୁଜବ ଓ ଅପପ୍ରଚାର ଉପରେ ରୋକ୍‌ ଲଗାଇବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଅପରପକ୍ଷେ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍‌ ପକ୍ଷରୁ ଜଲିଉଡ୍‌ କଳାକାର ରାଣୀ ପଣ୍ଡା ମଧ୍ୟ ଆଜି ସକାଳେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ସେ ଜୋନ୍‌-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ ଓ ଆଇଆଇସି ବିଶ୍ବଜିତ୍ ମହାନ୍ତିଙ୍କୁ ଅଭିଯୋଗପତ୍ର ପ୍ରଦାନ କରିବା ସହ ଗୁଜବକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ରାଣୀ କହିଛନ୍ତି, ବିଜୟ ମହାନ୍ତି ମୋ’ ବାପା। ତାଙ୍କ ମୃତ୍ୟୁ ଗୁଜବ ମୋତେ ରାତି ସାରା ଶୁଆଇ ଦେଇନି। ଏତଲା ଦେବା ବେଳେ ରାଣୀଙ୍କ ସହ ଫାଉଣ୍ଡେସନ୍‌ର ସଂପାଦକ ତଥା କୋରିଓଗ୍ରାଫର୍ ବିଦ୍ୟାଧର ବାରିକ, ହାସ୍ୟ ଅଭିନେତା ଶ୍ରୀନିବାସ ପଢ଼ିହାରୀଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତରାତି‌ରେ କିଛି ସାମାଜିକ ଗଣମାଧ୍ୟମ ଓ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍‌ ୱେବ୍‌ପୋର୍ଟାଲରେ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ସଂପର୍କରେ ମିଥ୍ୟା ଖବର ପ୍ରକାଶ ପାଇଥିଲା। ଏହି ଗୁଜବ ବିଜୁଳି ବେଗରେ ବ୍ୟାପିଯିବା ପରେ ବିଜୟଙ୍କ ନିକଟତମ ସଂପର୍କୀୟ ଓ ପରିବାରଲୋକଙ୍କୁ ଘନଘନ ଫୋନ୍‌ କଲ୍‌ ଆସିଥିଲା। ଏହା ତାଙ୍କୁ ମାନସିକ ଭାବେ ଗଭୀର ଆଘାତ ଦେଇଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡ଼ିବା ପରେ ଅଭିନେତା ସବ୍ୟସାଚ୍ଚୀ ମିଶ୍ର, ଅଭିନେତ୍ରୀ ସ୍ନିଗ୍ଧାଙ୍କ ସମେତ ଅନ୍ୟ କଳାକାରମାନେ ଟ୍ବିଟ୍‌ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ଅପପ୍ରଚାରରୁ ସାଧାରଣ ଲୋକ ଦୂରେଇ ରହିବାକୁ ପରାମର୍ଶ ଦେବା ସହ ଗୁଜବକାରୀଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ଓଲିଉଡ୍‌ ହାସ୍ୟାଭିନେତା ତତ୍ତ୍ବ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ଏକ ଜଟିଳ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ନାମରେ ମଧ୍ୟ ଏପରି ଗୁଜବ ପ୍ରକାଶ ପାଇଥିଲା। ବରିଷ୍ଠ ହାସ୍ୟାଭିନେତା ଜୟୀ ନାରାୟଣ ସାମଲଙ୍କ କ୍ଷେତ୍ରରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା।

Share This Article