ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ ବଢୁଛି ପବନର ବେଗ, ଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ

Odisha Hot News
1 Min Read

ଭୁବନେଶ୍ବର:  ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ମହାବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୧୮୦ କିମି ଦୂରରେ ରହିଥିବାର ସୂଚନା ମିଳିଛି | ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି। ଏହାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ୯୮ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ କ୍ରମଶଃ ବଢିବାରେ ଲାଗିଛି। ଏହାଫଳରେ ପାରାଦୀପରେ ଜୀବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିସହିତ ଅମ୍ଫାନ ଏବେ ପଶ୍ଚିମବଙ୍ଗର ଦୀଘାଠାରୁ ୩୨୦ କି.ମି. ଦୂରରେ ଥିବା ବେଳେ ବାଲାଂଦେଶ ଠାରୁ ୪୮୦ କି.ମି. ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ।

ମହାବାତ୍ୟା ଅମ୍ପାନ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ଉଠିବା ସହିତ ଉଚ୍ଚ ଢେଉମାନ କୂଳରେ ପିଟି ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୨୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ।

ତେବେ ସୂଚନା ଅନୁଯାୟୀ ମୋଟ ୧୬୨୦ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ବାଲେଶ୍ୱର, ଭଦ୍ରକ, କଟକ, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାର ପ୍ରାୟ ଛଅ ହଜାର ୪୭୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଲାଣି।

Share This Article