ବଳାତ୍କାରି ନିଲମ୍ବିତ ଏସ୍‌ଆଇ ରାକେଶ ଗିରଫ

Odisha Hot News
2 Min Read

ଭୁବନେଶ୍ୱର : ଚୋରା ଗାଡ଼ି କାରବାର ସହ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା କରି ଗର୍ଭପାତ କରାଇବା ଘଟଣାରେ ସମ୍ପୃକ୍ତ କ୍ୟାପିଟାଲ ଥାନା ନିଲମ୍ବିତ ସବ୍‌ ଇନ୍ସପେକ୍ଟର ରାକେଶ ସାମଲଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପ୍ରାୟ ୨ମାସ ଧରି ବିଭାଗର ବିନାନୁମତିରେ କାର୍ଯ୍ୟରେ ଯୋଗ ଦେଉ ନଥିବା ଅଭିଯୁକ୍ତ ଏସ୍‌ଆଇ ରାକେଶଙ୍କୁ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ରାଉରକେଲାରୁ ଗିରଫ କରିଛି। ରାଉରକେଲା ରଘୁନାଥପାଲ୍ଲୀ ଥାନାରେ ତାଙ୍କୁ ପଚରାଉଚରା ପରେ ଭୁବନେଶ୍ବର ଅଣାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଗୁରୁବାର ତାଙ୍କୁ ଭୁବନେଶ୍ୱରରେ ତଦନ୍ତକାରୀ ଅଧିକାରୀମାନେ ଜେରା କରି ତଥ୍ୟ ସଂଗ୍ରହ ପରେ କୋର୍ଟ ଚାଲାଣ କରାଯିବ। ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାକତ୍ାର କରି ଗର୍ଭପାତ ଘଟଣା ସହ ଚୋରାଗାଡ଼ି କାରବାରରେ କମିଶନରେଟ ପୋଲିସର ସମ୍ପୃକ୍ତି ନେଇ ରହିଥିବା ସଙ୍ଗିନ ଅଭିଯୋଗ ଉପରୁ ମଧ୍ୟ ପରଦା ଉଠିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ରାକେଶଙ୍କ ସହ କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ଏବେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚୋରା ଗାଡି କେଉଁଠାରୁ କିପରି ଆଣୁଥିଲେ, ଏହି ସଙ୍ଗିନ କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ। ଏପରି କି ଆରଟିଓ ଅଫିସରେ ଜାଲ୍‌ କାଗଜପତ୍ର ତିଆରି କରିବାରେ ଅନ୍ୟ ପୋଲିସ ଅଧକାରୀ ସେମାନଙ୍କୁ ସହଯୋଗ କରୁଥିବା ନେଇ ଯେଉଁ ଅଡିଓ କ୍ଲିପ ଭାଇରାଲ୍‌ ହୋଇଛି ତା’ର ମଧ୍ୟ ତଦନ୍ତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାକେଶଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଆଇପିସି ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ଡିସିପି ଅଫିସରେ ଥିବା ଇନ୍‌ଭେଷ୍ଟିଗେଟିଭ ୟୁନିଟ ଫର୍‌ କ୍ରାଇମ୍‌ ଏଗ୍‌ନେଷ୍ଟ ଓମେନ୍‌(ଆଇୟୁସିଏଡବ୍ଲ୍ୟୁ) ସେଲ୍‌ ଅଧିକାରୀ ସୁଜାତା ଜେନା ତଦନ୍ତ କରୁଛନ୍ତି।

Share This Article