ଆସନ୍ତା ୧୫ ରେ ଗଣଶିକ୍ଷା ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ: ଓଡିଶା ଅଭିଭାବକ ମହାସଂଘ

Odisha Hot News
4 Min Read

ଭୁବନେଶ୍ୱର: ଓସେପା ଅଫିସରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଭିଯୋଗ ପ୍ରକୋଷ୍ଠରେ ସାତ ଦଫା ଦାବି ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା। ଯଦି ଆଜି ସମାଧାନ ନ ହେବ ଆସନ୍ତା ୧୫ରୁ ଘେରାଓ କରିବାକୁ ନିଷ୍ପତି ନେଇଥିଲା।

ପୂର୍ବରୁ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ, ସି ବି ଏସ ଇ ର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସ, ଏନ ସି ଇ ଆର ଟି ଭୁବନେଶ୍ୱରଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଆଲୋଚନାରେ ଭଗନେଇ ୭ ଦଫା ଦାବି ଉପସ୍ଥାପନା କରିଥିଲେ।

ପ୍ରଥମ ଦାବୀରେ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଦ୍ଧାରଣ ଓ ସ୍କୁଲକୁ ନିୟମ ଅନୁସାରେ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ ଫିସ ସ୍ଥିରୀକୃତ କରିବା ଉପରେ ସରକାର ପୂର୍ବରୁ କରିଥିବା ସ୍କୁଲ ଫିସ ନିର୍ଦ୍ଧାରଣ କମିଟିର ସୁପାରିଶକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜି ହୋଇଥିଲେ।

ଦ୍ଵିତୀୟ ଦାବୀ ଅନୁଯାଇ କୋଭିଡ ମହାମାରୀ ସମୟରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲ ଫିସ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ରିପୋର୍ଟକୁ ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି ପାଇଁ ରାଜି ହୋଇଥିଲେ।

ତୃତୀୟ ଦାବୀରେ ପ୍ରାଇଭେଟ ସ୍କୁଲରେ ସବୁ ଶ୍ରେଣୀରେ ଏନସିଇଆରଟି ବହି ବ୍ୟବହାର ଓ ସ୍କୁଲ ବ୍ୟାଗ ଓଜନ ନିୟମର କଡାକଡି ଲାଗୁ ପାଇଁ ଥିବା ଆଲୋଚନା ରେ ସିବିଏସଇ ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସଙ୍କ ଦ୍ଵନ୍ଦ୍ଵତ୍ମାକ ମନ୍ତବ୍ୟ ଓ ସୁପାରିଶ ଯୋଗୁଁ ଆଲୋଚନା ରେ ଅସୁବିଧା ସୃଷ୍ଟି ହେତୁ ପରବର୍ତ୍ତୀ ସମୟରେ ବିଶେଷ ତର୍ଜମା ହୋଇ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ଚତୁର୍ଥ ଦାବିରେ ଶିକ୍ଷା ଅଧିକାର ଆଇନରେ ୨୫% ସିଟରେ ମାଗଣାରେ ପଢ଼ୁଥିବା ସବୁ ପିଲାଙ୍କୁ ନିୟମ ଅନୁଯାଇ ମାଗଣାରେ ସ୍କୁଲ ଡ୍ରେସ, ବହି ଓ ଜୋତା ଆଦି ପ୍ରଦାନ ପାଇଁ ତୁରନ୍ତ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆଦେଶ ଦିଆଯାଇଥିଲା।

ଶିକ୍ଷା ଅଧୁକାର ଆଇନରେ ମାଗଣାରେ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପଢ଼ା ଯାଉଛି ହେଲେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସେହି ପିଲାମାନଙ୍କୁ ଦିଲ୍ଲୀ, ଛତିଶଗଡ, ରାଜସ୍ତାନ ଭଳି ମାଗଣା ପଢାଇବାକୁ ବ୍ୟବସ୍ଥା କରିବାକୁ ଦାବୀ ଉପରେ ସରକାରଙ୍କ ସହିତ ଆର୍ଥିକ କମିଟିର ପରାମର୍ଶ ନେଇ ପଦକ୍ଷେପ ନେବାକୁ ରାଜି ହୋଇଥିଲେ।

ପଞ୍ଚମ ଦାବୀ ଅନୁଯାଇ ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ତତ୍ପର ହେବାକୁ କୁହାଯାଇଥିଲା।

ଷଷ୍ଠ ଦାବୀ ଅନୁଯାୟୀ ଯେଉଁ ପ୍ରାଇଭେଟ ସ୍କୁଲରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବ ସେହି ସ୍କୁଲର ସ୍ପେଶାଲ ଅଡିଟ କରାଯାଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସପ୍ତମ ଦାବୀ ଅନୁଯାୟୀ ଦଶମରୁ ଏକାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେଉଥିବା ସବୁ ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କେ ପି ମହାପାତ୍ର କମିଟିର ସୁପାରିଶ ଆଧାରରେ କ୍ଲାସ ପ୍ରମୋସନ ନିୟମ ଅନୁସାରେ ସେହି ସ୍କୁଲ ରେ ଆଡ଼ମିସନ କରି ପାଠ ପଢାଇବାକୁ ସବୁ ପ୍ରାଇଭେଟ ସ୍କୁଲ ଅନୁପାଳନ କରିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ପରିପ୍ରେକ୍ଷୀରେ କୋଚିଂ ସେଣ୍ଟର ମାନଙ୍କର ଦୌରାତ୍ମ୍ୟ ବହୁ ପରିମାଣରେ ବଢ଼ି ଯାଇଛି ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି। ଅନେକ ପିଲା ଡମୀ ସ୍କୁଲ ରେ ପଢୁ ଛନ୍ତି। ଏମାନେ ଶିକ୍ଷାକୁ ଏକ ଚିଟ ଫଣ୍ଡ ରେ ପରିଣତ କରିଦେଇଛନ୍ତି। ତେଣୁ କୋଚିଂ ସେଣ୍ଟର ଗୁଡିକ ନିୟନ୍ତ୍ରଣକୁ ଆଣିବାକୁ ପଦକ୍ଷେପ ନେବାକୁ ସହମତି ହୋଇଥିଲା।

ହେଲେ ଆଜି ପର୍ଯ୍ୟନ୍ତ ଆଲୋଚନା ଅନୁଯାୟୀ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ସାତଦଫା ଦାବୀରେ ଗଣଶିକ୍ଷା ସଚିବଙ୍କ ବାସଭବନ ସମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଛି।

ଆଜି ଓସେପା କାର୍ଯ୍ୟାଳୟର ଅଭିଯୋଗ ଶୁଣାଣିରେ ମହାସଂଘର ଏକ ପ୍ରତିନିଧି ଦଳ ସଚିବଙ୍କୁ ଭେଟି ଦାବୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବାକୁ ଯାଇଥିଲେ ହେଲେ ସଚିବ ପ୍ରାୟତଃ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହୁଥିବାରୁ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମହାସଂଘ କହିଛି। ଯଦି ଆସନ୍ତା ୧୩ ତାରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା ୧୫ ତାରିଖ ଦିନ ୧୧ ଟା ସମୟରେ ଗଣଶିକ୍ଷା ସଚିବ ଆଶ୍ବଥୀ ଏସଙ୍କ ସରକାରୀ ବାସଭବନ ସମ୍ମୁଖରେ ମହାସଂଘ ଦାବୀ ପୂରଣ ନହେବା ଯାଏଁ ଆମରଣ ଅନଶନରେ ବସିବ।

ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟାକ୍ଷ ଅଶୋକ ପଟ୍ଟନାୟକ, ଶିଶିର ସାହୁ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ ପ୍ରଭୃତି ଯୋଗଦାନ କରିଥିଲେ।

Share This Article