ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବ, ଯୋଗଦେଲେ ରାଜ୍ୟପାଳ

Odisha Hot News
1 Min Read

ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍‌ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ର ସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼େଇ ସ୍ମୃତିଚାରଣ କରିଥିଲେ। ପୂର୍ବତନ ପ୍ରଶାସକ ସଞ୍ଜୀବଚନ୍ଦ୍ର ହୋତା ସ୍ୱର୍ଗତ ବକ୍ସିପାତ୍ରଙ୍କ ସହିତ ନିଜର ଅନୁଭୂତି ଅବତାରଣା କରିଥିଲେ। ସ୍ମୃତି କମିଟିର ସାଧାରଣ ସଂପାଦକ ଲୋପାମୁଦ୍ରା ବକ୍ସିପାତ୍ର କମିଟିର ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ପାକ୍ଷିକ ପତ୍ରିକା “ଲୋକନୀତି’ର ବିଶେଷ ସଂଖ୍ୟା ଉନ୍ମୋଚିତ ହେବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବୈଦେଶିକ ସଚିବ ତଥା କୂଟନୀତିଜ୍ଞ ଶ୍ୟାମ ସରନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

Share This Article