ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

Odisha Hot News
1 Min Read

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମର ବାସିନ୍ଦା ସୁଦର୍ଶନ ସେଠୀ (୪୪) ତାଙ୍କ ଘର ନିକଟ ଧାନ ଜମିରେ ଟୁଲୁ ପମ୍ପ ଜରିଆରେ ପାଣି ପ୍ରବାହିତ କରାଯାଇଥିଲା। ଏଥିରେ ସୁଦର୍ଶନ ଚାଷ କାର୍ଯ୍ୟରେ ଯାଇଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଚିକିତ୍ସା ପରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ।

ରେଢ଼ାଖୋଲ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ସେପଟେ ସୁଦର୍ଶନଙ୍କ ପରିବାରରେ ୨ ଟି ପୁତ୍ର ସନ୍ତାନ ଓ ଗୋଟିଏ ଝିଅ ଅବିବାହିତା ରହିଛନ୍ତି।

Share This Article