ପ୍ରକାଶ ପାଇବ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ

Odisha Hot News
2 Min Read

ଭୁବନେଶ୍ୱର: ସାରା ବିଶ୍ୱରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍‌ ସଂପର୍କରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ ପ୍ରକାଶ ପାଇବ।

ମାଣ୍ଡିଆ ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ମିଲେଟ୍‌ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଆଲେଖ୍ୟଗୁଡ଼ିକ ସହାୟକ ହେବ। ମିଲେଟ୍‌ ଚାଷର ବିଭିନ୍ନ ଦିଗ, ଓଡ଼ିଶାରେ ମିଲେଟ୍‌ ଚାଷର ସଫଳତା, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମିଲେଟ୍‌ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମିଲେଟ୍‌ର ଉପକାରିତା ଓ ଏହାର ପ୍ରସାର ଆଦି ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉପାଦେୟ ଲେଖା ଏଥିରେ ସ୍ଥାନିତ ହେବ।

ଆଜି ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ମିଲେଟ୍‌ ବିଶେଷାଙ୍କକୁ ଆକର୍ଷଣୀୟ କରିବା ଦିଗରେ ସବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରୂପରେଖ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ଏହାର ଶୁଭ ଉନ୍ମୋଚନ କରାଯିବ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ମିଲେଟ୍‌ ମିଶନର ଅଧିକାରୀ ଏବଂ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Share This Article