ଭଦ୍ରକ: ଇସ୍ଲାମ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଓ ହଜରତ ସରକାର ବାବାଙ୍କ ବାର୍ଷିକ ଫତ୍ହେ ଉତ୍ସବ ଭଦ୍ରକରେ ପାଳନ କରାଯିବା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏସ୍.ପି. ଚରଣ ସିଂ ମୀନା , ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ମୁସ୍ଲିମ୍ ଜମାତର ସଭାପତି ମହମ୍ମଦ ଅବଦୁଲ ବାରି ଓ ଅନ୍ୟ ସଦସ୍ୟମାନେ ପ୍ରଥମେ ଉକ୍ତ ଦୁଇ ପର୍ବ ପାଳନର ଧାରା, ପରମ୍ପରା, ଚଦର ଶୋଭାଯାତ୍ରା, ଜୁଲୁସ୍ ଶୋଭାଯାତ୍ରା, ଧର୍ମସଭା ଆଦି ସମ୍ବନ୍ଧରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ପ୍ରଦତ୍ତ ସୂଚନା ଅନୁଯାୟୀ ଚଳିତ ସେପ୍ଟେମ୍ବର ୨୮ ସନ୍ଧ୍ୟାରେ ଜହ୍ନ ଦର୍ଶନ ପରେ ସେହିଦିନ ଠାରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ରୁ ୯ଟା ମଧ୍ୟରେ ଆଖପାଖ କେତେକେ ସାହିରୁ ପିଲାମାନେ ଭକ୍ତିଗାନ କରି ପୁରୁଣା ବଜାର ସ୍ଥିତ ଚୌଖଣ୍ଡିକୁ ଯାଇ ସେଠାରୁ ସିରିଣି ଭୋଗ ନେଇ ନିଜ ନିଜ ଗ୍ରାମକୁ ଫେରିବେ ।
୯ କିମ୍ବା ୧୦ ଅକ୍ଟୋବର ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ କେତେକ ସାହିବସ୍ତିରୁ ସୁସଜ୍ଜିତ ଜୁଲୁସ୍ ବା କାଫେଲା ଶୋଭାଯାତ୍ରା ବାହାରି ପୁରୁଣା ବଜାରସ୍ଥିତ ଚୌଖଣ୍ଡି ଠାରେ ପହଞ୍ôଚବା ପରେ ସେଠାରୁ ଶୋଭାଯାତ୍ରା ବାହାରି ବାଟରେ ଭିନ୍ନ ଭିନ୍ନ ସାହି ଛକ ମାନଙ୍କରେ ଅନ୍ୟ କାଫେଲା ସହିତ ସାମିଲ ହୋଇ ଶୋଭାଯାତ୍ରା ସହର ପରିକ୍ରମା କରି ମଦିନା ମଇଦାନ ଠାରେ ପହଞ୍ôଚବ । ଭଦ୍ରକ ଗ୍ରାମାଞ୍ଚଳରେ ଗୁଜିଦରଡ଼ା, ବେନ୍ତାଳ, ବିଷ୍ଣୁପୁରବିନ୍ଧା, ରାହାଞ୍ଜ ଗ୍ରାମର ଜୁଲୁସ୍ ମଧ୍ୟ ଏଥିରେ ସାମିଲ ହୋଇଥାଏ । ପ୍ରାୟ ସମୁଦାୟ ୭୫ଟି ଜୁଲୁସ ଏହି ଶୋଭାଯାତ୍ରାରେ ବାହାରିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଡ଼ି.ଜେ. ବ୍ୟବହାର କରାନଯିବା ପାଇଁ କମିଟି ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ଜିଲ୍ଲାପାଳ, ଏସ୍.ପି.ଙ୍କ ସମେତ ବୈଠକରେ ସମସ୍ତେ ସ୍ୱାଗତ କରିଥିଲେ । ପ୍ରତ୍ୟେକ ମେଢ଼ର ଆୟୋଜକମାନଙ୍କୁ ଏ ସମ୍ବନ୍ଧରେ ସଚେତନ କରାଇ ଏ ନିଷ୍ପତ୍ତିକୁ ସଫଳ କରାଇବା ପାଇଁ ପ୍ରଶାସନ ସହ କମିଟି ସଦସ୍ୟମାନଙ୍କର ସହଯୋଗ ପାଇଁ ଏସ୍.ପି. ମତାମତ ରଖିଥିଲେ । ସେହିପରି ହଜରତ ସରକାର ବାବାଙ୍କ ବାର୍ଷିକ ଫତହେ ଉତ୍ସବ ସେପ୍ଟେମ୍ବର ୨୪ ରେ ଅନୁଷ୍ଠିତ ହେବ । ଏଥିପାଇଁ ୨୩ ତାରିଖ ଅପରାହ୍ନ ୪ ଟାରୁ ରାତ୍ର ୧୧ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଠାରୁ ଫଳଭୋଗ ଗ୍ରହଣ କରାଯିବ । ତାପରେ ଫଳସବୁ କଟାଯାଇ ୨୪ ତାରିଖରେ ଭୋଗ ବଣ୍ଟନ ସହିତ ସେହିଦିନ ରାତ୍ର ୧୨ ଟା ପର୍ଯ୍ୟନ୍ତ ଚଦର ଚଢ଼ାଇବା ପାଇଁ ଚଦର ଶୋଭାଯାତ୍ରା ବାହାରିବ ।
ଏହି ପର୍ବ ପାଳନ ଉପଲକ୍ଷେ ପ୍ରଶାସନର ସହଯୋଗ ସହିତ ବିଶେଷ କରି ପୁରୁଣା ବଜାର ରାସ୍ତାର ସାମୟିକ ମରାମତି, ହମ୍ପସ୍ ଉଚ୍ଛେଦ, ମେଢ଼ ନଲାଗିବା ପାଇଁ ଓହଳି ଆସିଥିବା ଗଛଡ଼ାଳ କଟାଯିବା, ଓହଳି ଥିବା ବିଦ୍ୟୁତ ତାର ଟେକାଯିବା ଆଦି ପାଇଁ କମିଟି ଓ ଅନ୍ୟ ସଦସ୍ୟମାନଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଏ ସମ୍ବନ୍ଧରେ ଯଥାଶୀଘ୍ର ପଦେକ୍ଷେପ ନେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶାନ୍ତି କମିଟି ବୈଠକର ସଦସ୍ୟ ତଥା ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଭଦ୍ରକର ହିନ୍ଦୁ ମୁସଲିମ ଭାଇଚାରାର ଅନନ୍ୟ ବିଶେଷତ୍ୱ କଥା ରଖିଥିଲେ । ଶାନ୍ତି କମିଟିର ଅନ୍ୟତମ ଉପସ୍ଥିତ ସଦସ୍ୟ ରୋଟାରିଆନ୍ ଅତିସ କୁମାର ବେହେରା ଚଳିତ ମାସ ୨୮ ଓ ୩୦ରେ ଥିବା ଗଣେଶ ଭସାଣି ପୂର୍ବରୁ ରାସ୍ତାକାମ ସାରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅବକାରୀ ଚଡ଼ଉ, ନିରବଚ୍ଛିନ୍ନ ବିଦ୍ୟୁତଯୋଗାଣ, ଆମ୍ବୁଲାନସ୍ ବ୍ୟବସ୍ଥା, ଅଗ୍ନିଶମ ସେବା ପ୍ରଦାନ ଏବଂ କୋଭିଡ଼୍ ନିୟମ ପାଳନ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରଯୁକ୍ତ ମହାନ୍ତି ବୈଠକରେ ଆଲୋଚନା କରିଥିଲେ । ସବୁଥର ପରି ଏଥର ମଧ୍ୟ ସାମାଜିକ ଗଣମାଧ୍ୟମର ଦୂରୁପ ଯୋଗ ନକରାଯିବା ଦିଗରେ ସମସ୍ତେ ଯତ୍ନବାନ୍ ହେବା ପାଇଁ ଏସ୍.ପି ପରାମର୍ଶ ପ୍ରଦାନ କରିଥିଲେ । ଡ଼ି.ଏସ୍.ପି, ଡ଼ି.ଆଇ.ବି କମଳ ଲୋଚନ ଭୂୟାଁ ଏହି ପର୍ବ ପାଳନ ନେଇ ପୋଲିସ ବ୍ୟାବସ୍ଥା, ଟ୍ରାଫିକ୍ ସମସ୍ୟା ଶୋଭାଯାତ୍ରା ଓ ଜନଗହିଳ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ଓ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ କହିଥିଲେ । ଶେଷରେ ଶ୍ରୀଯୁକ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।
ହଜରତ ସରକାର ବାବାଙ୍କ ବାର୍ଷିକ ଫତହେ ଉତ୍ସବ ଓ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ

Comment