ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା – Fast News Network

Odisha Hot News
2 Min Read

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟ ଉପକୂଳର ସମୁଦ୍ର ଏବେ ଅଶାନ୍ତ ହେବାକୁ ଆରମ୍ଭ କରିଛି। ଏବେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ ‘ଅସାନି’। ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ତେବେ ଆଗାମୀ ୩୬ ଘଣ୍ଟାରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ ଅସାନି। ଏବେ ପୁରୀଠାରୁ ୬୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ୫୦୦କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ ଅସାନି । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ରିକର୍ଭ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ।
ଅସନ୍ତକାଲି ଠାରୁ ବଦଳିବ ପାଣିପାଗର ମିଜାଜ।୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୧୩ ତାରିଖରୁ କମିବ ବର୍ଷା। ପବନର ବେଗ ବଢ଼ିବ । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୫ ରୁ ୧୧୫ କିଲୋମିଟର ଏବଂ ଝଟକା ପବନ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ବହିବା ସମ୍ଭାବନା ରହିଛି।
ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ସମ୍ଭାବନା ଥିବାରୁ ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ 2 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।ଭୀଷଣ ବାତ୍ୟା “ଅସାନି” ସହ ଜଡିତ ବାହ୍ୟ ମେଘ ଖଣ୍ଡ ପ୍ରଭାବରେ ଭୁବନେଶ୍ୱର ସହରରେ ବର୍ଷା ହୋଇଛି ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ।

Share This Article