ମଧୁବାବୁଙ୍କ ଜୀବନୀ ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା: ମୁଖ୍ୟମନ୍ତ୍ରୀ

Odisha Hot News
3 Min Read

ଭୁବନେଶ୍ବର: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ କରିଛନ୍ତି । କେନ୍ଦ୍ର ଲୋକାର୍ପଣ କରିବା ସହ କହିଲେ- ମଧୁ ବାବୁ ଓଡ଼ିଆ ସ୍ବାଭିମାନର ପ୍ରତୀକ, ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ବାଭିମାନର ଗୌରବମୟ ଗାଥା । ଭିଡିଓ କନଫରେନ୍ସିଂରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ sହିଥିଲେ, ‘ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟ ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ ।’
ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି । ଏହାସହ ମଧୁବାବୁଙ୍କ ଆଦର୍ଶରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଥିଲେ, ‘ତାଙ୍କ ଜାତି ପ୍ରୀତି ଓ ତ୍ୟାଗର ତୁଳନା ନାହିଁ । ଓଡ଼ିଆ ଜାତି ପାଇଁ ମଧୁବାବୁ ତାଙ୍କର ସବୁ କିଛି ତ୍ୟାଗ କରିଯାଇଛନ୍ତି । ତାଙ୍କ ପାଇଁ ଓଡ଼ିଆ ସ୍ବାଭିମାନ ଥିଲା ସବୁଠୁ ଉପରେ । ତା’ ସହ ସେ କେବେ ବି ସାଲିସ କରିନାହାନ୍ତି । ଏ ଜାତି ପାଇଁ ତାଙ୍କର ଅବଦାନ ତାଙ୍କୁ ଓଡ଼ିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଅମର କରି ରଖିବ ।’
ଓଡିଶାକୁ ମଧୁବାବୁଙ୍କ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଭାଷାକୁ ଭିତ୍ତିକରି ରାଜ୍ୟ ଗଠନ ପାଇଁ ମଧୁ ବାବୁଙ୍କ ଉଦ୍ୟମ ତାଙ୍କର ଦୂର ଦୃଷ୍ଟିର ପରିଚୟ । ସ୍ବାଧୀନତା ପରେ ଭାଷା ସୂତ୍ରରେ ହିଁ ଭାରତର ଅନେକ ରାଜ୍ୟ ଗଠିତ ହୋଇଛି । କିନ୍ତୁ ସେତେବେଳେ ଓଡିଶା ଥିଲା ଭାଷା ଭିତିରେ ଭାରତର ପ୍ରଥମ ରାଜ୍ୟ । କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ, ‘ମଧୁ ବାବୁ ଥିଲେ ଓଡ଼ିଆ ଜାତିର ମୂଖ୍ୟ ପୁରୋଧା । ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ମଧୁ ସଂଗ୍ରହାଳୟ ଲୋକାର୍ପିତ କରିଛନ୍ତି । ଆଜି ସାରା ବିଶ୍ବରେ ଥିବା ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ସତ୍ୟଭାମାପୁର ଗାଁର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିବା ସହ ଗାଁର ଉନ୍ନତି ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।
ଜିଲ୍ଲାପାଳ ଭବାନୀ ଚରଣ ଚଇନି ସ୍ବାଗତ ଭାଷଣ ଦେଇଥିବା ବେଳେ ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘ ସଭାପତି ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି ।
Share on: WhatsApp

Share This Article