ଜିଲ୍ଲାର ୬ଟି ବୁଥ୍‌ରେ ସାନି ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ

Odisha Hot News
1 Min Read

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଶୃଙ୍ଖଳାଭଙ୍ଗ ଜନିତ ମତଦାନ ବାଧାପ୍ରାପ୍ତ ଯୋଗୁଁ ଜିଲ୍ଲାର ୩ଟି ବ୍ଲକ୍‌ର ୬ଟି ବୁଥ୍‌ରେ ସାନି ମତଦାନ ପାଇଁ ଜିଲ୍ଲା ପ୍ରଶାସନର ସୁପାରିଶ୍ କ୍ରମେ ନିର୍ବାଚନ ଆୟୋଗ ଦ୍ୱାରା ଅନୁମତି ପ୍ରଦାନ କରାଯାଇଥିଲା । ଏଥିପାଇଁ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ୨୩ ତାରିଖରେ ଉକ୍ତ ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି । ମତଦାନ କାର୍ଯ୍ୟ ପାଇଁ ସମ୍ପୃକ୍ତ ବୁଥ୍ ଗୁଡ଼ିକୁ ପୋଲିଂ ଦଳ ପ୍ରେରଣ କରାଯାଇଛି । ଭଦ୍ରକ ବ୍ଲକ୍‌ର ଚଣ୍ଡୀଗାଁ ପଞ୍ଚାୟତରେ ଚଣ୍ଡୀଗାଁ ପ୍ରାଇମେରୀ ସ୍କୁଲରେ ୧,୨,୩ ଓ ୪ ନଂ ବୁଥ୍‌, ବନ୍ତ ବ୍ଲକ୍‌ର କେନ୍ଦୁଆପଦା ପଞ୍ଚାୟତର ୧୫ନଂ ଆମ୍ପୋର ବୁଥ୍ ଓ ଚାନ୍ଦବାଲି ବ୍ଲକ୍‌ର ୧୨ନଂ ବୁଥ ନାଲଗୁଣ୍ଡା ରେ ଏହି ସାନି ମତଦାନ କାର୍ଯ୍ୟ ଅନୁଷ୍ଠିତ ହେବ ।
ଉଲ୍ଲେଖଯୋଗ୍ୟକି ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନରେ ଭଦ୍ରକ ଓ ବନ୍ତ ଏବଂ ୧୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଚାନ୍ଦବାଲି ବ୍ଲକର ସଂପୃକ୍ତ ବୁଥ ଗୁଡ଼ିକରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଉକ୍ତ ୬ଟି ବୁଥ ପାଇଁ ଅନୁଷ୍ଠିତ ହେବାକୁ ଥିବା ପୁନଃ ମତଦାନ ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହେବ ତାକୁ ଆଖି ଆଗରେ ରଖି ୩ଟି ଯାକ ଜାଗାରେ ପୂର୍ବାପେକ୍ଷା ବ୍ୟାପକ ପୋଲିସ୍ ମୂତୟନ ପାଇଁ ବ୍ୟବସ୍ଥା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Share This Article