ମାହାଙ୍ଗା : ପୁଲିସର ଟାର୍ଗେଟରେ ପ୍ରଫୁଲ୍ଲ ବିଶ୍ବାଳ ଓ ଭିକାରୀ ସ୍ବାଇଁ। ସେମାନଙ୍କୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। କିପରି ଉଭୟଙ୍କୁ ଗିରଫ କରାଯିବ ସେଥିପାଇଁ ପୁଲିସର ୫ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ହେଲେ ଘଟଣା ଦିନଠାରୁ ଉଭୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିବା ସମସ୍ୟା ବଢ଼ାଇଛି। ଅନ୍ୟପଟେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏତଲାରେ ନାଁ ନଥିବା ଦାଦା-ପୁତୁରାଙ୍କୁ ଗିରଫ କରି ଜେଲ୍ ପଠାଇଛି ପୁଲିସ। ପଞ୍ଚାନନ ସେଠୀ, ଉମେଶ ଖଟୁଆ ଓ ଅନ୍ୟ ଦୁଇଜଣ ବାଇକ୍ରେ ଆସି ନାଳବନ୍ଧ ରାସ୍ତାରେ ବାଇକ୍ ରଖି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ୫ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ଚର୍ଚ୍ଚା ହେଉଛି।
ଜାନୁଆରି ୨ ତାରିଖ ସଂଧ୍ୟାରେ ମାହାଙ୍ଗା ବ୍ଲକ୍ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ କୁଳମଣି ଓ ଦିବ୍ୟସିଂହ ବରାଳ ହସ୍ପିଟାଲରେ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଥିଲେ। କିନ୍ତୁ ପୁଲିସ ଦିବ୍ୟସିଂହଙ୍କ ବୟାନକୁ ରେକର୍ଡଭୁକ୍ତ କରିନାହିଁ। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଆଗଧାଡ଼ିର ବିଜେଡି ନେତା ତଥା ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରିୀ ସ୍ବାଇଁ ଧରା ନ ପଡ଼ିବା ଘଟଣା ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି। ସେପଟେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ଏତଲାରେ ନାଁ ଥିବା ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ, ତାଙ୍କ ଭାଇ ଚୈତନ୍ୟ, ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ (୪୫), ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ମୋହନ ବରାଳ (୭୫), କୈଳାସ ଖଟୁଆ ସମେତ ଏତଲାରେ ନାଁ ନଥିବା ଦାଦା ଉମେଶ ଖଟୁଆ ଓ ପୁତୁରା ଅରୁ ଓରଫ୍ ଅରବିନ୍ଦ ଖଟୁଆଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି। ଏହାକୁ ନେଇ ବିଜେପି ମଧ୍ୟ ଅସନ୍ତୋଷ ବ୍ୟକ୍ତି କରିବା ସହ ତଦନ୍ତକାରୀ ଟିମ୍ରେ ଥିବା ଅତିରିକ୍ତ ଏସ୍ପିଙ୍କୁ ନେଇ ପ୍ରଶ୍ନ ଉଠାଇଛି। ସେ ବିକାଶ ଯେନା ହତ୍ୟା ଘଟଣାରେ ଶାସକ ଦଳକୁ ସହଯୋଗ କରି ପ୍ରଫୁଲ୍ଲ ବିଶ୍ବାଳ ଓ ଅନ୍ୟ ଅଭିଯୁକ୍ତଙ୍କୁ ଜାଣିଶୁଣି ଗିରଫ କରି ନଥିଲେ। ଯା’ଫଳରେ ଅପରାଧୀ ଖୁଲମ୍ଖୁଲା ବୁଲିବା ସହ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ କରିବା ପାଇଁ ସାହାସ ଜୁଟାଇ ପାରିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଭିକାରୀ ଓ ପ୍ରଫୁଲ୍ଲଙ୍କୁ ଧରିବା ପାଇଁ ପୁଲିସ ଏବେ ଜୋରଦାର ପ୍ରୟାସ ଚଳାଇଥିବାବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ବିଭିନ୍ନ ସମୟରେ ଉଠାଇ ଆଣି ପଚରାଉଚୁରା କରୁଛି। ଏହା ସତ୍ତ୍ବେ ସବୁ ପ୍ରୟାସ ଫେଲ ମାରିଥିବା ଜଣାପଡ଼ିଛି।
Comment