Home ରାଜ୍ୟ ଚଳିତ ବର୍ଷ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ବନ୍ଦ : ସୁପ୍ରିମକୋର୍ଟଙ୍କ ନିର୍ଦେଶ

ଚଳିତ ବର୍ଷ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ବନ୍ଦ : ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା, ତାକୁ ଆଜି ଦୂର କରିଛନ୍ତି  ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି ଯେ ଯଦି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁମିତ ଦିଆଯିବ, ତେବେ ଆମକୁ ଭଗବାନ ଜଗନ୍ନାଥ କ୍ଷମା ଦେବେ ନାହିଁ। କରୋନା ମହାମାରୀ ସମୟରେ ଏହାକୁ ଅନୁମତି ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଉଛି।

ସୂଚନାଯୋଗ୍ୟ, ରଥଯାତ୍ରା ବନ୍ଦ କରିବାକୁ ଜଣେ ଓଡ଼ିଆ ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିବା ବେଳେ ରଥଯାତ୍ରା ସପକ୍ଷରେ ମଧ୍ୟ ଏକାଧିକ ପକ୍ଷ ସାମିଲ ହୋଇଥିଲେ। ଆଜି ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ରୋଚକ ଘଟଣାଟି ହେଲା ମହାପ୍ରଭୁଙ୍କ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଗତକାଲି ମଧ୍ୟବର୍ତ୍ତୀ ଆବେଦନପତ୍ର (ଆଇଏ ନମ୍ବର- ୫୫୭୪୫/୨୦୨୦) ଦାଖଲ କରିଥିଲେ ନୟାଗଡ଼ ଜିଲ୍ଲାର ଜଣେ ମୁସଲମାନ ସଂପ୍ରଦାୟର ଯୁବକ ଅଫତାବ ହୁସେନ। ଏ ନେଇ ମଧ୍ୟବର୍ତ୍ତୀ ଆବେଦନପତ୍ର ଦାଖଲ ହୋଇଥିବା ନେଇ ତାଙ୍କ ଓକିଲ ପ୍ରଣୟ କୁମାର ମହାପାତ୍ର ସୂଚନା ଦେଇଥିଲେ।