Home ରାଜ୍ୟ ୩ ଜଣିଆ ଖଣ୍ଡପୀଠକୁ ଗଲା ରଥଯାତ୍ରା ମାମଲା

୩ ଜଣିଆ ଖଣ୍ଡପୀଠକୁ ଗଲା ରଥଯାତ୍ରା ମାମଲା

ନୂଆଦିଲ୍ଲୀ: ସଦ୍ୟତମ ସୂଚନା ଅନୁସାରେ ପୁରୀ ରଥଯାତ୍ରା ମାମଲାର ଶୁଶାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ.ବୋବଡେ କରିବେ। ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯେଉଁ ସମସ୍ତ ରିଭ୍ୟୁ ପିଟିସନ ଆଗତ ହୋଇଥିଲା ତାହାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କରିବେ। ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ନିଜର ଅନୁମତି ଦେଇ ସାରିଥିବା ବେଳେ, ଆଉ କିଛି ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ଜାଣିବାକୁ ମିଳିଛି ଯେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ବର୍ତ୍ତମାନ କୋର୍ଟର ଅବସର ଥିବାରୁ ନାଗପୁରରେ ଅବସ୍ଥାନ କରୁଛନ୍ତି। ଆଉ କିଛି ସମୟ ମଧ୍ୟରେ ସେ ତାଙ୍କ ନାଗପୁରସ୍ଥିତ ବାସଭବନରେ ଥାଇ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରିବେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ବରୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜି ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଳେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।