Home ରାଜ୍ୟ କେନ୍ଦ୍ରାପଡାରେ ପ୍ରଥମ ସମଲିଙ୍ଗୀ ବିବାହ

କେନ୍ଦ୍ରାପଡାରେ ପ୍ରଥମ ସମଲିଙ୍ଗୀ ବିବାହ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ଏକ ସମଲିଙ୍ଗି ବିବାହକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସାମାଜିକ ପରିବର୍ତ୍ତନ ଓ ଯୁବପିଢିର ନୂତନ ଚିନ୍ତାଧାରାକୁ ନେଇ ଆଲୋଚନା ଜୋର୍ ଧରିଛି । ଦୁଇ ପ୍ରାପ୍ତ ବୟସ୍କା ଯୁବତୀ ଏଭଳି ନିଷ୍ପତ୍ତି ନେଇ ସାମାଜିକ ବ୍ୟବସ୍ଥାକୁ ଆହ୍ୱାନ ଦେଇଥିବାବେଳେ ସମାଜ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ ସମାଜ ବିଜ୍ଞାନୀମାନଙ୍କୁ ଚିନ୍ତା କରିବାକୁ ଖୋରାକ୍ ଯୋଗାଇଛି ।
ଖବରରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ଦୁଇ ଝିଅଙ୍କ ମଧ୍ୟରେ ଦେଖାସାକ୍ଷାତ, କଥାବାର୍ତ୍ତା, ବନ୍ଧୁତ୍ୱ ଓ ପ୍ରେମ ସଂପର୍କ ଶେଷରେ ଆପୋଷ ସହମତି ଭିତିରେ ଜୀବନ ଯାପନ ପାଇଁ ଚୁକ୍ତିନାମା ହୋଇଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବାପରେ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଥିବାବେଳେ ଉଭୟ ଝିଅଙ୍କ ପରିବାର ଓ ଗ୍ରାମବାସୀମାନେ ଏହାକୁ ସହଜରେ ସ୍ୱୀକାର କରିପାରୁନାହାଁନ୍ତି । ଘଟଣାମୁତାବକ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ଏହି ଝିଅ ଦୁଇଜଣ କଲେଜ୍ ପ।।ଠପଢିବା ସମୟରୁ ଚିହ୍ନା ପରିଚୟ ଓ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା । ସହପାଠୀଭାବେ ହଷ୍ଟେଲରେ ରହିବା ସହ କଲେଜ୍ ପାଠ ଶେଷ ପରେ କଟକର ଏକ ଘରୋଇ କମ୍ପାନୀରେ ଉଭୟ ଚାକିରି କରୁଛନ୍ତି । ଉଭୟଙ୍କ ଭିତରେ ମିଳାମିଶା ଓ ଭାବର ଆଦାନ ପ୍ରଦାନ ଏତେ ନିବିଡ ଯେ କେହି କାହାକୁ ଛାଡିବାକୁ ରାଜି ନୁହଁନ୍ତି । ପାରମ୍ପରିକ ସମସ୍ତ ବିବାହ ବ୍ୟବସ୍ଥାକୁ ଉଭୟ ପ୍ରତ୍ୟାଖାନ କରି ଜୀବନ ସାଥୀ ରୂପେ ପରସ୍ପରକୁ ବାଛି ନେଇଛନ୍ତି । ଏ ନେଇ ଦୁଇ ଯୁବତୀ କେନ୍ଦ୍ରାପଡା ନୋଟାରୀ ପବ୍ଲିକଙ୍କ ନିକଟରେ ଏକ ଚୁକ୍ତିନାମା (ଏଗ୍ରିମେଂଟ) କରିଛନ୍ତି । ଏହି ସତ୍ୟପାଠ ଚୁକ୍ତିନାମାରେ ଉଭୟ ଜୀବନ ସାରା ଏକାଠି ରହିବା ସହ କେହି କାହାର ସ୍ୱାଧୀନତାରେ ବାଧା ଦେବେ ନାହିଁ କି ବିରୋଧ କରିବେ ନାହିଁ । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଚନା ଜୋର ଧରିଥିବାବେଳେ ଉଭୟ ଯୁବତୀଙ୍କ ପୈତୃକ ଗ୍ରାମରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ସାମାଜିକ ଚଳଣିକୁ ବେଖାତିର କରି ଉଭୟ ଏକ ନୂତନ ପନ୍ଥା ଅବଲମ୍ବନ କରିଥିବାରୁ ଗ୍ରାମବହୁଳ ପଟ୍ଟାମୁଣ୍ଡାଇ ଓ ମହାକାଳପଡାରେ ବୃଦ୍ଧିଜିବୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉଭୟଙ୍କ ଗ୍ରାମରେ ପହଁଚିବାରୁ ସ୍ଥାନୀୟ ଅଧିବାସୀମାନେ ଏହାକୁ ବିରୋଧ କରି ଯୁବତୀଙ୍କୁ ସାକ୍ଷାତ କରାଇ ଦେଇନଥିଲେ । ଏ ନେଇ ପଟ୍ଟାମୁଣ୍ଡାଇର ଯୁବତୀଙ୍କ ପିତା ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।