Home ରାଜ୍ୟ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ବିଜୟ ମିଶ୍ରଙ୍କୁ ‘ଜୟଦେବ ସମ୍ମାନ’

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ବିଜୟ ମିଶ୍ରଙ୍କୁ ‘ଜୟଦେବ ସମ୍ମାନ’

ଭୁବନେଶ୍ବର: ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଛି। ବିଶିଷ୍ଟ ନାଟ୍ୟକାର, ଚିତ୍ରନାଟ୍ୟ ଲେଖକ ତଥା ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ୨୦୧୮ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ‘ଶ୍ରୀ ଜୟଦେବ ସମ୍ମାନ’ ପ୍ରଦାନ କରାଯିବ। ଏକାଧିକ ନାଟକ ଓ ଓଡ଼ିଆ ଚଳଚ୍ଚିତ୍ରରେ କାହାଣୀ, ସଂଳାପ ଲେଖି ଓଡ଼ିଆ ନାଟ୍ୟ ଓ ଚଳଚ୍ଚିତ୍ର ଜଗତରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ଦେବାକୁ ସ୍ଥିର କରାଯାଇଛି। ସେହିପରି ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ସମ୍ମାନିତ କରାଯିବ। ଏହି ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ ପାଇଁ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଓ ‘ଚମ୍ପିଆନ୍‌’ ଚଳଚ୍ଚିତ୍ର ପାଇଁ ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବ। ଏହାଛଡ଼ା ୨୦୧୮ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଭିଜା ମାଟିର ସ୍ବର୍ଗ’କୁ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ରେ ସମ୍ମାନିତ କରାଯିବ। ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଆଜି ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ଘୋଷଣା କରିଛନ୍ତି।

ଶ୍ରୀ ଜୟଦେବ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ଶ୍ରୀ ମିଶ୍ର ଦୀର୍ଘ ୬୦ ବର୍ଷର ତାଙ୍କର ଏହି ଚଳଚ୍ଚିତ୍ର ଯାତ୍ରାରେ ସେ ବହୁ ସୁପରହିଟ୍‌ କାହାଣୀ ଦର୍ଶକଙ୍କୁ ଭେଟି ଦେଇ ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ୧୯୭୧ ମସିହାରେ ‘ଯାଯାବର’ ଚଳଚ୍ଚିତ୍ରର କାହାଣୀ ଲେଖି ସେ ଦର୍ଶକଙ୍କ ମନରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ନଗଦ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯିବ। ଏହା ବାଦ୍ ମୋଟ୍‌ ୨୭ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ମାଟିର କଥା କହୁଥିବା ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ ମୋଟ୍ ୫ଟି ବର୍ଗରେ ପୁରସ୍କାର ହାତେଇ‌ ନେବାରେ ସଫଳ ହୋଇଛି। ୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ଅଧ୍ୟକ୍ଷ ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ନିୟୋଜିତ ହୋଇଥିବା ବେଳେ ସିନେ ଫଟୋଗ୍ରାଫର୍‌ ଶ୍ରୀନିବାସ ମହାପାତ୍ର, ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ, ଗୀତିକାର ବୃନ୍ଦାବନ ଜେନା, ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ପ୍ରକାଶ ମହାନ୍ତି, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ ଓ ନାଟ୍ୟ କଳାକାର ସୁବୋଧ ପଟ୍ଟନାୟକ ପ୍ରମୁଖ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ।

‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ, ‘ପେନ୍‌ସନ୍‌’ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସପ୍ତମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋ‌ଷଣା କରିଛନ୍ତି। ପ୍ରଦ୍ୟୁମ୍ନ ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ…’ ଶ୍ରେଷ୍ଠ ଧାରାବାହିକ ବିବେଚିତ ହୋଇଛି। ଏହି ଧାରାବାହିକଟି ୫ଟି ବର୍ଗରେ ରାଜ୍ୟ ଟେଲି ପୁରସ୍କାର ହାତେଇବାକୁ ମନୋନୀତ ହୋଇଛି। ଏହି ଧାରାବାହିକର ନିର୍ଦ୍ଦେଶକ ହରିଶ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ହୋଇଥିବା ବେଳେ ଏହାର ଅଭିନେତ୍ରୀ ସୋଫିଆ ସିକନ୍ଦରଙ୍କୁ ଶ୍ରେଷ୍ଠ ଧାରାବାହିକ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ସେହିପରି ମାଧ୍ୟୁ ଜେନି ଯୋସେଫ୍‌ ଓ ଶିଲାକ୍ରିଷ୍ଣା ଶୁକ୍ଲାଙ୍କ ପ୍ର‌‌ଯୋଜିତ ‘ପେନ୍‌ସନ୍‌’କୁ ‘‌ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର’ ଭାବେ ମନୋନୀତ କରାଯାଇଛି। ‘ପାଇକ ବିଦ୍ରୋହ’ର ନିର୍ଦ୍ଦେଶକ ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯିବ। ଟେଲି ଚଳଚ୍ଚିତ୍ରରେ ଅଭିନୟ ‘ପେନ୍‌ସନ୍‌’ ପାଇଁ ଜୟନ୍ତ ସାନ୍ତାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଓ ‘କମଲି’ର ସୋନାଲି ନାୟକଙ୍କୁ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ କରାଯିବ। ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ଚିନ୍ତାମଣି ବେହେରାଙ୍କ ‘କମଲି’, ଶ୍ରେଷ୍ଠ ଶୈକ୍ଷିକ/ଶିଶୁଭିତ୍ତିକ ଚଳଚ୍ଚିତ୍ର ଭାବେ ସୁନିଲ କୁମାର ଦାସଙ୍କ ‘ଗାନ୍ଧୀ ଆସୁଛନ୍ତି’ ଓ ଅକ୍ଷୟ ପରିଜାଙ୍କ ଟେଲି ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’କୁ ‘ସ୍ବତନ୍ତ୍ର ଜୁରି ସମ୍ମାନ’ରେ ସମ୍ମାନିତ କରାଯିବ। ବିଶିଷ୍ଟ କାହାଣୀକାର ଶୈ‌ଳେଶ୍ବର ନନ୍ଦଙ୍କ ଅଧ୍ୟକ୍ଷତାରେ ଲୋକକଳା ଗବେଷକ ମନ୍ମଥ ଶତପଥୀ, ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ଗୀତା ଦାଶ, ସୁବାସ ଦାସ, ସିନେ ସାମ୍ବାଦିକ ଅଶୋକ ପାଲିତ ଓ ବରିଷ୍ଠ ଅଭିନେତା ଭାସ୍କର ମହାପାତ୍ରଙ୍କୁ ନେଇ ଗଠିତ ବିଚାରକ କମିଟି ଏହିସବୁ ପୁରସ୍କାର ଚୟନ କରିଛନ୍ତି। ରାଜ୍ୟରେ ଓଡ଼ିଆ ଭାଷାରେ ଉନ୍ନତ ବୈଷୟିକ ମାନର ମୂଲ୍ୟବୋଧଭିତ୍ତିକ ସାମାଜିକ ପ୍ରାସଙ୍ଗିକତା ବିଷୟବସ୍ତୁ ଉପରେ ଆଧାରିତ ଟେଲି ଧାରାବାହିକ/ଟେଲି ଚଳଚ୍ଚିତ୍ରଗୁଡ଼ିକର ଅଧିକ ପରିମାଣରେ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେି ‘ରାଜ୍ୟ ଟେଲି ପୁରସ୍କାର’ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଟେଲି ଧାରାବାହିକ/ଟେଲି ଚଳଚ୍ଚିତ୍ରର ୨୦ଟି ବିଭାଗ ପାଇଁ ମୋଟ୍‌ ୩ ଲକ୍ଷ ୧୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ ନାୟକ, ଯୁଗ୍ମ ନିର୍ଦ୍ଦେଶିକା ସଙ୍ଘମିତ୍ରା ଶତପଥୀ ଓ ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁଙ୍କ ସମେତ ସମସ୍ତ ଜୁରି କମିଟି ସଦସ୍ୟ ଉପସ୍ଥିତ ଥିଲେ।