Home ରାଜ୍ୟ ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ

ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ

ଭୁବନେଶ୍ୱର :  ୨୦୧୯ରେ ବିଭିନ୍ନ ଥାନାରେ ବଢିଥିବା ମାମଲା ସଂଖ୍ୟା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟଛି। କାରଣ ମୋ‘ ସରକାର କାର୍ଯ୍ୟକ୍ରମ ପରଠୁ କମିଶନରେଟ ପୋଲିସର ଏକାଧିକ ଥାନାରେ ମାମଲା ସଂଖ୍ୟା ଗତବର୍ଷ ତୁଳନାରେ ଅହେତୁକ ବୃଦ୍ଧି ପାଇଛି। ହେଲେ ଯେଉଁ ପରିମାରଣ ମାମଲା ରୁଜୁ କରାଯାଉଛି ସେହି ଅନୁପାତରେ ଥାନାଗୁଡ଼ିକରେ ତଦନ୍ତକାରୀ ଅଧିକାରୀ ନ ଥିବାରୁ ତଦନ୍ତ ଦିଗହରା ହେଉଛି। ନା ଠିକ୍‌ରେ ମାମଲାର ତଦନ୍ତ ହୋଇଛି ନା ଅଭିଯୁକ୍ତ ଗିରଫ ହେଉଛନ୍ତି। ମୋ’ ସରକାର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଭୟରେ ଥାନାରେ ମାମଲାକୁ ରୁଜୁ କରିବାକୁ ପୋଲିସ ବାଧ୍ୟ ହେଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ କ୍ୟାପିଟାଲ ଥାନାରେ ୫୩୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଡିସେମ୍ବର ୨୯ ତାରିଖ ସୁଦ୍ଧା ୫୪୫ ମାମଲା ରୁଜୁ ହୋଇଛି। ସେହିପରି ଖାରବେଳନଗର ଥାନାରେ ଗତ ବର୍ଷ ୩୪୭ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୬୦ରେ ପହଞ୍ଚିଛି। ଶହୀଦନଗର ଥାନାରେ ଗତ ବର୍ଷ ୫୭୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୭୦୦ ଛୁଇଁଛି। ନୟାପଲ୍ଲୀ ଥାନାରେ ଗତବର୍ଷ ୫୮୯ ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ୬୮୭ଟି ମାମଲା ରୁଜୁ କରାଯାଇଛି। ଖଣ୍ଡଗିରି ଥାନାରେ ଗତବର୍ଷ ୬୨୧ଟି ମାମଲା ହୋଇଥିବାବେଳେ ଚଳିତବର୍ଷ ଏବେ ସୁଦ୍ଧା ୭୫୬ଟି ମାମଲା ପଞ୍ଜୀକୃତ କରାଯାଇଛି। ମଞ୍ଚେଶ୍ୱର ଥାନାରେ ଗତବର୍ଷ ୬୦୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୬୩୦ ଛଇଁଛି। ଚନ୍ଦ୍ରଶେଖରପୁର ଥାନାରେ ଗତବର୍ଷ ୫୩୪ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୩୦ରେ ପହଞ୍ଚିଲାଣି। ଲିଙ୍ଗରାଜ ଥାନାରେ ଗତବର୍ଷ ୨୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୨୬୬ଟି ରୁଜୁ ହେଲାଣି। ସେହିପରି ବଡଗଡ ଥାନାରେ ଗତବର୍ଷ ୩୬୮ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ୪୫୦ ଛୁଇଁଲାଣି। ଏୟାରଫିଲ୍ଡ ଥାନାରେ ଗତ ବର୍ଷ ୪୨୬ଟି ମାମଲା ହୋଇଥିବା ବେଳେ ତାହା ଚଳିତବର୍ଷ ୨୪୫ଟିରେ ପହଞ୍ଚିଛି। ସେହିପରି ଲକ୍ଷ୍ମୀସାଗର ଥାନାରେ ଗତବର୍ଷ ୩୩୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୪୦୦କୁ ଛୁଇଁଛି। ମହିଳା ଥାନାରେ ଗତବର୍ଷ ୧୨୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୧୩୨ଟି ମାମଲା ପଞ୍ଜୀକୃତ କରାଯାଇଛି। ଇନ୍‌ଫୋସିଟି ଥାନାରେ ଗତବର୍ଷ ୨୬୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ୨୭୦ଟି ମାମଲା ରୁଜୁ କରାଯାଇଛି। ଧଉଳି ଥାନାରେ ଗତବର୍ଷ ୧୮୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୨୦୦ଟି ମାମଲା ରୁଜୁ କରାଯାଇଛି। ସେହିପରି ଏୟାରପୋର୍ଟ ଥାନାରେ ୧୧ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୨୪୫ ହେଲାଣି। ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପଚାରିବାରେ କହିଛନ୍ତି, ଥାନାକୁ ଆସୁତ୍ଥିବା ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଉଛି। ମୋ’ ସରକାର କାର୍ଯ୍ୟକ୍ରମ ପରଠୁ ଲୋକଙ୍କୁ ଥାନାକୁ ଗଲେ ତ୍ୱରିତ ନ୍ୟାୟ ମିଳୁଛି।