ଆଜି ଚିହ୍ନଟ ହୋଇଥିବା ୫ଜଣ ନୂଆ କରୋନା ଆକ୍ରାନ୍ତ ଗତ୨୯ତାରିଖରେ ଏକ ବୋଲେରୋରେ କୋଲକାତାରୁ ଫେରିଥିଲେ। ୪ଜଣ କଟିକଟା ସ୍କୁଲରେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିବା ବେଳେ ମହାନ୍ତିପାଟଣା ଗ୍ରାମର ଆକ୍ରାନ୍ତଜଣକ ମଧ୍ୟ ଗାଁ ବିଦ୍ୟାଳୟରେ ସଂଗରୋଧରେ ଥିଲେ ବୋଲି ଜଣାପଡିଛି। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩,୪୯,୫୨, ୫୭ ଏବଂ ୩୯ ବୋଲି ଜଣାପଡ଼ିଛି।
ସଂଗରୋଧରେ ରହିବା ପରେ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି। ଖବରପାଇ ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ଓ ଏଏସଆଇ ଏସକେ ସିଂହ କଟିକଟାରେ ପହଞ୍ଚିଛନ୍ତି। ସେହିପରି ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ମଙ୍ଗଳପୁର ସିଏଚ୍ସିର ଡ. ଉମାକାନ୍ତ ମଲ୍ଲିକ ପ୍ରମୁଖ ରାତିରେ କଟିକଟା ଗ୍ରାମରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ଏହି ବ୍ଲକ୍ର କୋଦେଇବାଟିର ୨ଜଣ ଓ ଅକରପଡ଼ାର ଜଣେ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ଏହି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯିବ ବୋଲି ଜଣାପଡିଛି।