Home ଜୀବନଚର୍ଯ୍ୟା ବଢିବାରେ ଲାଗିଛି ମାନସିକ ଶଙ୍କା

ବଢିବାରେ ଲାଗିଛି ମାନସିକ ଶଙ୍କା

151
ମାନସିକ ଶଙ୍କା କ’ଣ :
ମାନସିକ ଶଙ୍କା ବା ସିଜୋଫ୍ରେନିୟା ଏଭଳି ଏକ ମାନସିକ ସ୍ଥିତି ଯେଉଁଠି ମଣିଷର ଚିନ୍ତାଶକ୍ତି ଏବଂ ସମସ୍ୟା ସମାଧାନ କରିବାର ଶକ୍ତି ଠିକ୍‌ସେ କାମ କରେନାହିଁ । ଏଭଳି ଅବସ୍ଥାରେ ମଣିଷଟି କୌଣସି ସିଦ୍ଧାନ୍ତ ନେଇପାରେ ନାହିଁ । ସବୁବେଳେ ରୋଗୀଟି ଏକ କଳ୍ପନା ରାଜ୍ୟରେ ଥାଏ । ଧୀରେ ଧୀରେ ସେ ସନ୍ଦେହୀ ହୋଇପଡେ । ସିଜୋଫ୍ରେନିଆ ବିଭିନ୍ନ ପ୍ରକାରର ହୋଇଥାଏ । ସେଗୁଡ଼ିକ ଭିତରୁ ପେରାନଏଡ୍‌ ସିଜୋଫ୍ରେନିୟାରେ ଅଧିକାଂଶ ଲୋକ ଏବେ ଆକ୍ରାନ୍ତ ହେଉଛନ୍ତି ।
ପେରାନଏଡ ସିଜୋଫ୍ରେନିୟା ରୋଗୀ ନିଜ ଭାବନା ଏବଂ ଅନୁଭବକୁ ନିଜ ଆୟତ୍ତ ଭିତରେ ରଖିପାରେ ନାହିଁ । ନିଜ ଅନୁଭବ ସେ ଠିକଣା ଢଙ୍ଗରେ ଅନ୍ୟକୁ ପ୍ରକାଶ ମଧ୍ୟ କରିପାରେ ନାହିଁ । ଏଇଭଳି ସମସ୍ୟା ଲାଗି ରହିଲେ ରୋଗୀର ବ୍ୟବହାର ମଧ୍ୟ ବଦଳିଯାଏ । ଖୁବ୍‌ ଗୁମ୍‌ସୁମ୍‌ ରହିବାକୁ ସେ ପସନ୍ଦ କରେ ଧୀରେ ଧୀରେ । ଏକୁଟିଆ ରହିବାକୁ ତାକୁ ଅଧିକ ଭଲ ଲାଗେ । ନିଜ ଭାବନା ରାଜ୍ୟରେ ସେ ସବୁବେଳେ ବିଚରଣ କରୁଥାଏ । ଏ ସମସ୍ୟା ଲାଗି ରହିଲେ ନିଦ କମିଯାଏ । ଦୈନଦିନ କାର୍ଯ୍ୟରେ ତା’ର ଆଉ ଆଗ୍ରହ ରହେ ନାହିଁ ।
ସବୁବେଳେ ଶଙ୍କାଗ୍ରସ୍ତ ଥାଏ ରୋଗୀ
ସିଜୋଫ୍ରେନିୟା ରୋଗୀ ଗାଧୋଇବାକୁ, ଏଭଳିକି ଗୁଲାପଟା ବଦଳାଇବାକୁ ମଧ୍ୟ ଚାହେଁ ନାହିଁ । ଖାଇବାର ଶୈଳୀ ଏବଂ ରୁଚି ମଧ୍ୟ ତା’ର ବଦଳିଯାଏ । ଆଖପାଖର
ଲୋକ ତାକୁ ବିରକ୍ତିକର ମନେ ହୁଅନ୍ତି । ରୋଗ ପୁରୁଣା ହେଲେ ରୋଗୀ ଧୀରେ
ଧୀରେ ସମସ୍ତଙ୍କୁ ସନ୍ଦେହ କରିବାକୁ ଲାଗେ । ବିଭିନ୍ନ ଅଜଣା ଶବ୍ଦ ତାକୁ ଶୁଣାଯାଏ । ତାକୁ ସବୁବେଳେ ମନେହୁଏ, କେହି ଯେମିତି ତା’ର ପିଛା କରୁଛି ସବୁବେଳେ । ତା’ର ଗତିବିଧି ଲକ୍ଷ୍ୟ କରୁଛି ଲୁଚିଲୁଚି ।
ଏକାକୀତ୍ୱ ମାଡ଼ିବସେ
ଅନ୍ୟ ଜଣେ କ’ଣ ଭାବୁଛି, ବେଳେବେଳେ ତାକୁ ମଧ୍ୟ ସେ ସନ୍ଦେହ କରେ । ନିଜେ ନିଜ ସହ କଥା ହୁଏ ସିଏ । ଧୀରେ ଧୀରେ ବାସ୍ତବତା ଠାରୁ ଦୂରେଇଯାଏ । ସତକୁ ମାନିବାରୁ ରାଜି ହୁଏନି । ରୋଗୀକୁ ମନେହୁଏ ସତେ ଯେମିତି ସମସ୍ତେ ତା’ ବିରୋଧରେ କୌଣସି ଏକ ଷଡଯନ୍ତ୍ର ରଚୁଛନ୍ତି । ସବୁବେଳେ ସିଏ ଭାବେ ସମସ୍ତେ ତାଙ୍କୁ ମାରିବାକୁ ସୁଯୋଗ ଉଣ୍ଡୁଛନ୍ତି । ଏଇ କାରଣରୁ ସିଏ ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ଚାହେଁ । ବେଳେବେଳେ ରୋଗୀଟି ଅତ୍ୟଧିକ ଶଙ୍କାଗ୍ରସ୍ତ ହୋଇ ନିଜ ଉପରେ କିମ୍ବା ଅନ୍ୟ ଉପରେ ଶାରୀରିକ ଅତ୍ୟାଚାର ମଧ୍ୟ କରିପାରେ । ସମସ୍ୟା ଅଣାୟତ୍ତ ହେଲେ ରୋଗୀ ନିଜ ଜୀବନ ମଧ୍ୟ ହାରିବାକୁ ଚେଷ୍ଟା କରେ ।
କାହିଁକି ଏଭଳି ହୁଏ
  • ବିଶେଷଜ୍ଞମାନେ କହନ୍ତି- ଏ ରୋଗ ଯେକୌଣସି ବୟସରେ ହୋଇପାରେ । କିନ୍ତୁ ସାଧାରଣତଃ ଦେଖାଯାଏ ପୁରୁଷମାନେ ୧୬ ବର୍ଷରୁ ୨୦ ବର୍ଷ ବୟସ ମଧ୍ୟରେ ଏ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଠିକ୍‌ ସେଇଭଳି ମହିଳାମାନେ ୨୦ ବର୍ଷରୁ ୩୦ ବର୍ଷ ବୟସରେ ଏ ରୋଗର କବଳରେ ପଡ଼ିଥାନ୍ତି । ସାରା ବିଶ୍ୱରେ ପ୍ରାୟ ଏକ ପ୍ରତିଶତ ଲୋକ ଏ
    ସମସ୍ୟାରେ ପୀଡିତ ଅଛନ୍ତି ।
  •  ମସ୍ତିଷ୍କରେ (ବାୟୋକେମିକାଲ ଚେଞ୍ଜ) କୌଣସି ରାସାୟନିକ ପରିବର୍ତ୍ତନ ଘଟିଲେ ଏ ସମସ୍ୟା ଦେଖାଦେଇଥାଏ ।  ଡୋପାମାଇନ୍‌ ନାମକ ଏକ ହରମୋନ୍‌ ଆମ ଚିନ୍ତା ଚେତନାକୁ
    ପ୍ରଭାବିତ କରିଥାଏ । ଏହାର ଅସନ୍ତୁଳନରେ ମଧ୍ୟ ଏଭଳି ସମସ୍ୟା ଦେଖାଦିଏ ।  ବ୍ୟକ୍ତିଟି ଯଦି ଖୁବ୍‌ ଚୁପ୍‌ଚାପ୍‌ ପ୍ରକୃତିର ଏବଂ ନିଜ ସମସ୍ୟା ଅନ୍ୟକୁ ନକହି ନିଜ ଭିତରେ ରଖେ ଏବଂ ସାଙ୍ଗସାଥୀଙ୍କ ସହ ମିଳାମିଶା କମ୍‌ କରୁଥାଏ, ଏଭଳି ବ୍ୟକ୍ତି ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦ୍ୱିଗୁଣ ଅଧିକ ।  ପାରିବାରିକ ସମସ୍ୟା ବା ଅଧିକ ଦିନ ଚିନ୍ତାଗ୍ରସ୍ତ ରହିଲେ ଏ ସମସ୍ୟା ଦେଖାଦେଇଥାଏ । କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ଚାପ ମଧ୍ୟ ମାନସିକ ସନ୍ତୁଳନକୁ କ୍ଷତିଗ୍ରସ୍ତ କରାଇ ସିଜୋଫ୍ରେନିୟା ଭଳି ରୋଗକୁ ଡାକିଆଣିପାରେ ।
  • ଆନୁବଂଶିକ କାରଣ ମଧ୍ୟ ରହିଛି ଏ ରୋଗର ଶିକାର ହେବା ପାଇଁ । ଯଦି କୌଣସି ନିକଟ ସମ୍ପର୍କିୟ କିମ୍ବା ଦୂର ସମ୍ପର୍କିୟଙ୍କ ଠାରେ ଏ ସମସ୍ୟା ଥାଏ ତା’ହେଲେ ମଧ୍ୟ ଏ ରୋଗ ଦେଖାଦେଇପାରେ ।
  •  ବାପା-ମା, ଭାଇ-ଭଉଣୀ କାହାରିକୁ ଏ ରୋଗ ହୋଇଥିଲେ ବା ଆଗରୁ କେବେ ହୋଇଥିଲେ ସେ ବ୍ୟକ୍ତିକୁ ଏ ରୋଗ ହେବାର ସମ୍ଭାବନା ଶତକଡ଼ା ୬୦ ।
ସହଯୋଗ ଜରୁରୀ

ଏ ରୋଗରୁ ରୋଗୀକୁ ମୁକୁଳାଇବା ପାଇଁ ଆତ୍ମୀୟଙ୍କ ସହଯୋଗ ଖୁବ୍‌ ଜରୁରୀ । ଏଭଳି ରୋଗୀକୁ କେବେ ଏକୁଟିଆ ଛାଡନ୍ତୁ ନାହିଁ । ତା’ସହ ଖୋଲାଖୋଲି ଆଲୋଚନା କରନ୍ତୁ । ତା’ଇଚ୍ଛା ଏବଂ
ଅନୁଭବକୁ ଗୁରୁତ୍ୱ ଦିଅନ୍ତୁ । ସବୁବେଳେ କୌଣସି ନା କୌଣସି କାମରେ ରୋଗୀକୁ ବ୍ୟସ୍ତ ରଖନ୍ତୁ । ତା’ ଆଗରେ ଅନ୍ୟର ସଫଳତା ବଖାଣନ୍ତୁ ନାହିଁ । ଯୋଗ ଏବଂ ପ୍ରାଣାୟାମ ଖୁବ୍‌ ଉପଯୋଗୀ ଏଭଳି ରୋଗୀଙ୍କ ପାଇଁ ।

ଜିନ୍‌ ପାଇଁ ଏ ସମସ୍ୟା ହୋଇପାରେ

ଗବେଷଣାରୁ ଜଣାଯାଇଛି ସିଜୋଫ୍ରେନିୟା ପାଇଁ ଜିନ୍‌କୁ ଦାୟୀ କରାଯାଇପାରେ । ଯଦି ବାପା-ମା
କିମ୍ବା ପରିବାରରେ କାହା ପାଖରେ ଏ ସମସ୍ୟା ଥାଏ ତା’ହେଲେ ଗୁଣସୂତ୍ର ଜରିଆରେ ଏ ରୋଗ ଆସିପାରେ ସମ୍ପର୍କୀୟଙ୍କ ପାଖକୁ । କିନ୍ତୁ ମନୋଚିକିତ୍ସା ଏବଂ କାଉନସେଲିଂ ମାଧ୍ୟମରେ ଏ ରୋଗକୁ ଦୂର କରାଯାଇପାରେ ।