Home ରାଜ୍ୟ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ

ଭୁବନେଶ୍ୱର  : କରୋନା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି । ତେବେ ଏହି କରୋନା କଟକଣାରେ ସବୁଠୁ ଅଧିକ କ୍ଷତି ସହିଛନ୍ତି ଶ୍ରମିକ ଶ୍ରେଣୀୟ ଲୋକେ । ନୂଆପଲ୍ଲୀ ନାବାର୍ଡ ସାମ୍ନା ଶ୍ରମିକ ହାଟ ହେଉ ଅବା ଡେଲ୍‌ଟା ଛକ ଓ ନିଳାଦ୍ରୀ ବିହାର ଅଟୋ ଷ୍ଟାଣ୍ଡ । ଏସବୁ ଜାଗା ଏବେ ଖାଁ ଖାଁ । ଯେଉଁଠି ରାତି ପାହିଲେ ଶହ ଶହ ଶ୍ରମିକଙ୍କ ଭିଡ଼ ଜମୁଥିଲା । ସେଠି ଜଣେ ବି କାହାରି ଦେଖାନାହିଁ । ଲକ୍‌ଡାଉନ୍‌ ଏମାନଙ୍କ ରୋଜଗାର ପନ୍ଥାରେ ମାସେ ହେଲା ବ୍ରେକ୍‌ ଲଗାଇଛି । କରୋନାର ବଜ୍ର ପାହାର ସିଧା ଏମାନଙ୍କ ଭାତହାଣ୍ଡିରେ ପଡି଼ଛି । ସଂସାର ଚଳାଇବା ତ ଦୂର, ପିଲାଛୁଆଙ୍କୁ କେମିତି ଖାଇବାକୁ ଗଣ୍ଡେ ଦେବେ ସେ ଚିନ୍ତାରେ ଦିନ କଟିଯାଉଛି । ବିଶ୍ୱ ଶ୍ରମିକ ଦିବସ ପାଳନ ହେବାକୁ ଥିବା ବେଳେ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି ।

ରାଜଧାନୀରେ ରହୁଥିବା ହଜାର ହଜାର ଶ୍ରମିକଙ୍କ ହାଲତ ଏବେ ଖରାପ । ସାମାଜିକ ଦୂରତ୍ୱ ରକ୍ଷା ସହିତ କରୋନା ସଂକ୍ରମଣ ଭୟରେ ଏମାନେ କାମକୁ ଯାଉନାହାନ୍ତି । ପ୍ରତିବର୍ଷ ଶ୍ରମିକ ଦିବସ ପାଳୁଥିବା ଶ୍ରମିକ ସଂଗଠନଗୁଡିକ ବି ନାଚାର । ସାଲିଆ ସାହିରେ ରହୁଥିବା ଶଙ୍କର ବସ୍ତିଆଙ୍କ କହିବା ମୁତାବକ, ରାଜଧାନୀରେ ବସ୍ତିରେ ରହିଲେ ବି ଘରଭଡ଼ା ମାସକୁ ୨ ହଜାର ଟଙ୍କା । ତା ସାଙ୍ଗକୁ ଘର ଚଳାଇବାକୁ ଦିନକୁ ୫ ଶହ ଟଙ୍କା ବି ନିଅଣ୍ଟ ହୁଏ ।

ସେଥିରେ ପୁଣି ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ଅଛି । ହେଲେ ଏବେ ମାସେ ହେଲା ଟଙ୍କାଟିଏ ବି ରୋଜଗାର ନାହିଁ । ଅଣ୍ଟିରେ ବି ଶହେ ଟଙ୍କା ନାହିଁ । ଏପଟେ ପେଟ ପୋଡ଼ି ଯାଉଛି । ହେଲେ ପିଲାଛୁଆଙ୍କୁ ଖାଇବାକୁ ଗଣ୍ଡେ ଦେଇପାରୁନୁ । ୟାଠୁ ଅଧିକ ଭୟ ସାଜିଛି କରୋନା ସଂକ୍ରମଣ । ଆମେ ରହୁଥିବା ସ୍ଥାନର ହାଲତ ନ କହିବା ଭଲ । ଜୀବନ ବଞ୍ଚାଇବାକୁ ଏଠି ରୀତିମତ ସଂଘର୍ଷ ଚାଲିଛି । ସେପଟେ ଅଙ୍ଗନବାଡି କର୍ମୀ ଠିକଣା ଭାବେ ସର୍ଭେ କରୁନାହାନ୍ତି ।