Home ରାଜ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ଓ କ୍ୟାନସର ୟୁନିଟ୍ ଲୋକାର୍ପିତ

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ଓ କ୍ୟାନସର ୟୁନିଟ୍ ଲୋକାର୍ପିତ

ତାଳଚେର : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏମ୍ଆଇଏମ୍ସିଆଇ) ତଥା ତାଳଚେର ମେଡିକାଲ୍ କଲେଜର ଏକାଡେମିକ ବ୍ଲକର ଲୋକାର୍ପଣ ଉତ୍ସବ ଓ ମେଡିକାଲ୍ କଲେଜ ପରିସରରେ ଏକ କ୍ୟାନସର ୟୁନିଟ୍ ଏବଂ ପୂର୍ବତଟ ରେଳପଥ ଅନ୍ତର୍ଗତ ତାଳଚେର ରେଳବାଇ ଷ୍ଟେସନର ସଂଚାର କ୍ଷେତ୍ରରେ ପୂର୍ବ ନିର୍ମିତ ଶୌଚାଳୟ ସମୂହର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏମ୍ସିଏଲର ପୂର୍ବତନ ନିର୍ଦ୍ଦେଶକ(କାର୍ମିକ) ତଥା ପରାମର୍ଶଦାତା ଏଲଏନ୍ ମିଶ୍ର ଓ ବୈଷୟିକ ନିର୍ଦ୍ଦେଶକ ଓପି ସିଂହ ଯୋଗଦାନ କରିଥିଲେ । ନିଜ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଳଚେର,ଅନୁଗୋଳ ତଥା ସମଗ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ରାଜ୍ୟ ସରକାର ଅଟକାଇବାର ଅପଚେଷ୍ଟା ଚଳାଇଛନ୍ତି । ଯାହାକି ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏମ୍ସିଏଲର ସିଏସଆର ଫଣ୍ଡରୁ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ତାଳଚେରବାସୀ, ଅନୁଗୋଳ ଜିଲ୍ଲାବାସୀ,ସର୍ବୋପରି ରାଜ୍ୟବାସୀ ଏହାଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପୁଳ ଉପକାର ପାଇବେ ଏବଂ
ଜାତୀୟ ସ୍ତରରେ ଏହା ଏକ ଶ୍ରେଷ୍ଠ ମେଡିକାଲ୍ କଲେଜରେ ପରିଣତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଥିଲେ । ରାଜ୍ୟ ସରକାର ଶୀଘ୍ର ଏହି ମେଡିକାଲ୍
କଳେଜକୁ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଧାନ ସମ୍ପନ୍ନ କରିବା ସହ ତାଳଚେରବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଏହି ଉପଲକ୍ଷେ ଶ୍ରୀ ପ୍ରଧାନଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଏମ୍ସିଏଲ୍ର ବରିଷ୍ଠ ମହାପ୍ରବନ୍ଧକ, ଅଧିକାରୀ, ଶ୍ରମିକ ସଂଗଠନର ନେତୃବୃନ୍ଦ, ଖଣି କର୍ମଚାରୀ ଏବଂ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।