Home ମନୋରଞ୍ଜନ କୋରିଓଗ୍ରାଫର ସରୋଜ ଖାନ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କୋରିଓଗ୍ରାଫର ସରୋଜ ଖାନ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି । ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ସୂତ୍ର ପିଟିଆଇକୁ କହିଛି ଯେ, ସେ ବର୍ତ୍ତମାନ ଭଲ ଅଛନ୍ତି । ନିଶ୍ବାସ ପ୍ରଶ୍ବାସ ନେବାରେ ତାଙ୍କୁ ସମସ୍ୟା ହୋଇଥିଲା । ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଯାହା ନେଗେଟିଭ୍ ଆସିଛି । ତାଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି ।

ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିବାର ଶ୍ରେୟ ଦିଆଯାଇଛି । ୨୨ ନଭେମ୍ବର ୧୯୪୮ରେ ଜନ୍ମ ହୋଇଥିବା ସରୋଜ ଖାନ ବଲିଉଡର ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସମସ୍ତେ ତାଙ୍କ କାମକୁ ପ୍ରଶଂସା କରନ୍ତି ।

ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଗୀତର କୋରିଓଗ୍ରାଫି କରିଛନ୍ତି । କୋରିଓଗ୍ରାଫର ଭାବରେ ୭୧ ବର୍ଷ ବୟସ୍କ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।