ଭୁବନେଶ୍ବର : ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ ‘ବିଜୁ ପଟ୍ଟନାୟକ ମିନି ମାରାଥନ’ ଆୟୋଜିତ ହେବାକୁ ଯାଉଛି। ୬ଟି ବର୍ଗରେ ଉଭୟ ପୁରୁଷ ଓ ମହିଳା ଅଂଶଗ୍ରହଣ କରିପାରିବେ। ୩୫୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହେବାକୁ ଯାଉଥିବା ଏହି ମିନି ମାରାଥନର କନିଷ୍ଠ ବର୍ଗରେ ୧୫ରୁ ୧୮ ବର୍ଷ ବୟସ୍କ ବାଳକ ବାଳିକାମାନେ ଅଂଶଗ୍ରହଣ କରିପାରିବେ। ସେହିପରି ୧୮ବର୍ଷରୁ ଅଧିକ ବର୍ଗରେ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ। ଭେଟେରାନ ବର୍ଗରେ ୫୦ରୁ ଅଧିକ ବୟସର ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିପାରିବେ।

ଏହି ମାରାଥନ ମାର୍ଚ୍ଚ ୫ ତାରିଖ ସକାଳ ୭ଟାରେ ବିଜୁ ପଟ୍ଟନାୟକ ପାର୍କଠାରେ ଶୁଭାରମ୍ଭ ହେବ। ପ୍ରତିଯୋଗୀମାନେ ସେଠାରୁ ବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ‌୍ ଛକ, କଳିଙ୍ଗ ଷ୍ଟାଡିୟମ ଗେଟ୍‌ ନଂ ୩ ଦେଇ ମୁଖ୍ୟ ପଡ଼ିଆକୁ ଫେରିବେ। ଏହି ମାରାଥନର କୃତୀ ବିଜେତାଙ୍କୁ ମୋଟ ୧ଲକ୍ଷ ୫୮ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ମିନି ମାରାଥନରେ ଅଂଶଗ୍ରହଣ କରିବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ମାର୍ଚ୍ଚ ୨ ତାରିଖରୁ ୪ ତାରିଖ ମଧ୍ୟରେ ଦିନ ୧୦ଟାରୁ ଅପରାହ୍‌ଣ ୫ଟା ମଧ୍ୟରେ ନିଜର ନାମ କଳିଙ୍ଗ ଷ୍ଟାଡିୟମରେ ପଞ୍ଜୀକରଣ କରି ଟି-ସାର୍ଟ ଓ ଚେଷ୍ଟ ନମ୍ବର ପାଇପାରିବେ। ବାହାରୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ୪ ତାରିଖ ରାତିରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଭାଗ ପକ୍ଷରୁ ରାତ୍ରି ରହଣି ସୁବିଧା ଯୋଗାଇ ଦିଆଯିବ। ମିନି ମାରାଥନରେ ଅଂଶଗ୍ରହଣକାରୀଙ୍କୁ ବିଜୁ ପଟ୍ଟନାୟକ ପାର୍କସ୍ଥିତ ଆରମ୍ଭ ସ୍ଥାନରୁ କଳିଙ୍ଗ ଷ୍ଟାଡିୟମରେ ମାରାଥନ ସରିବା ପର୍ଯ୍ୟନ୍ତ ବିଭିନ୍ନ ଛକମାନଙ୍କରେ ବିଭାଗର କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି ଆବଶ୍ୟକ ସୁବିଧା ଯୋଗାଇ ଦେବେ।