Home ରାଜନୀତି ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?

ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?

ଭଦ୍ରକ: ସାଧାରଣ ନିର୍ବାଚନକୁ ଅଳ୍ପ କେଇ ମାସ ବାକି । ଶାସକ ବିଜେଡି, ଗତ ପଞ୍ଚାୟତ ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିଥିବା ବିଜେପି ଓ ପ୍ରମୁଖ ବିରୋଧୀ କଂଗ୍ରେସ ନିଜ ନିଜର ପ୍ରଭାବ ଜାହିର କରିବାକୁ ଯାଇ ସାଂଗଠନିକ ସ୍ଥିତି ବଢ଼ାଇବାରେ ଲାଗିଛନ୍ତି । ଅପରପକ୍ଷରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅସନ୍ତୁଷ୍ଟ କର୍ମୀମାନେ ବଳ ଜୁଟାଇବାରେ ଲାଗିଛନ୍ତି । କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନୁହେଁ ବରଂ ଉଭୟ ଶାସକ ବିଜେଡ଼ି, ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟରେ ଅସନ୍ତୁଷ୍ଟ କର୍ମୀମାନେ କ୍ରମେ ସକ୍ରିୟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଶାସକ ବିଜେଡି ଓ ବିଜେପିରେ ଏହି ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଅଧିକ ଦେଖିବାକୁ ମିଳୁଛି । ଫଳରେ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଭିତରେ ଭିତରେ ବଢ଼ିବାରେ ଲାଗିଛି । ଅବଶ୍ୟ ଅସନ୍ତୁଷ୍ଟଙ୍କ କାର୍ଯ୍ୟକଳାପର କୌଣସି ପ୍ରଭାବ ଦଳ ଉପରେ ଭବିଷ୍ୟତରେ ପଡ଼ିବାର ସମ୍ଭାବନା ନାହିଁ ବୋଲି ସମସ୍ତ ଦଳଙ୍କ ପକ୍ଷରୁ ଦୃଢ଼ୋକ୍ତି କରାଯାଇଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ୨୮ଟିରୁ ୨୪ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । ହେଲେ ଧାମନଗର ବିଧାନସଭା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ସହ ମତଭେଦ ପରେ ଦଳର ବରିଷ୍ଠ ଯୁବନେତା ଅଶୋକ ନାୟକ ବିଜେଡିଠାରୁ ଦୂରେଇ ଯାଇ ବିଜେପି ସହ ହାତ ମିଳାଇଲେ । ପରିବର୍ତ୍ତନ ସାମ୍ମୁଖ୍ୟ ଗଠନ କରି ଧାମନଗର ପଞ୍ଚାୟତ ସମିତିକୁ ମଧ୍ୟ ଅକ୍ତିଆର କରିନେଇଥିଲେ । ଯାହାକି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପ୍ରତି ଶକ୍ତ ଧକ୍କା ଥିଲା । ତଥାପି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଧାୟକ ରାଜେନ୍ଦ୍ର ଦାସଙ୍କ ବିରୋଧରେ ଯେପରି ଅସନ୍ତୁଷ୍ଟ ସକ୍ରିୟ ହୋଇ ଉଠିଥିଲେ ଅନୁରୂପ ଚିତ୍ର ଏବେ ଦେଖିବାକୁ ମିଳୁଛି । ଏପ୍ରକାର ବିରୋଧ ବିଧାୟକଙ୍କ ବିରୋଧରେ ଯେତେ ନୁହେଁ, ତାଙ୍କ କୋଟେରୀଙ୍କ ବିରୋଧରେ ଅଧିକ ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଧାୟକ ଶ୍ରୀ ମଣ୍ଡଳ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପ୍ରତି ବାସ୍ତବବାଦୀ ଦୃଷ୍ଟିକୋଣ ଆପଣେଇବା ଏବେ ଜରୁରୀ ହୋଇପଡ଼ିଛି । ସେହିପରି ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ହାତେଇବାରୁ ବଞ୍ଚିତ ହେବାପରେ ଦଳର ଅନ୍ୟତମ ବରିଷ୍ଠ ନେତା ଯୋଗେନ୍ଦ୍ର ଘଡ଼େଇ ଗୁପ୍ତରେ ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି । ଅନୁରୂପ ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ମଧ୍ୟ ବିଧାୟକ ବ୍ୟୋମକେଶଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ସ୍ୱର ଶାଣିତ ହେବାରେ ଲାଗିଛି । ତେବେ ନୂତନ ବର୍ଷ ପ୍ରଥମ ଭାଗରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ, ଏହାର ଫଳାଫଳ ନିର୍ଣ୍ଣାୟକ ହେବ । ହୁଏତ ଅସନ୍ତୁଷ୍ଟ ଚୁପ୍ ବସିବେ ନୋହିଲେ ଅଧିକ ସକ୍ରିୟ ହେବେ । ସେହିପରି ରାଜ୍ୟରେ ସରକାର ଗଠନ ପାଇଁ ମିଶନ ୧୨୦ ସ୍ୱପ୍ନ ଦେଖୁଥିବା ବିଜେପିରେ ମଧ୍ୟ ଗୋଷ୍ଠୀକନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷକରି ଦଳର ପୂର୍ବତନ ସଭାପତି ଅକ୍ଷୟ କୁମାର ସାହୁ ଏବେ ଖୋଲାଖୋଲି ଜିଲ୍ଲା ନେତୃତ୍ୱକୁ ସମାଲୋଚନା କରୁଛନ୍ତି । ଶ୍ରୀ ସାହୁଙ୍କର କେତେକ ସମର୍ଥକ ଓ ଦଳର ତୃଣମୂଳ କର୍ମୀ ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି । ସେମାନଙ୍କ ଟାର୍ଗେଟରେ ରହିଛି ଜିଲ୍ଲା ସଭାପତିଙ୍କ ନିର୍ବାଚନ କ୍ଷେତ୍ର ଭଣ୍ଡାରିପୋଖରୀ । କେନ୍ଦ୍ରରେ ନରେନ୍ଦ୍ର ମୋଦି କଂଗ୍ରେସମୁକ୍ତ ଭାରତ ଗଠନର ନାରା ଦେଉଥିବାବେଳେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ କଂଗ୍ରେସ ସହ ଯୋଡ଼ି ହୋଇ ଚାଲୁଛନ୍ତି ବୋଲି ଏହି ଗୋଷ୍ଠୀର ଅଭିଯୋଗ । କାରଣ ଗତ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଓ ବିଜେପି ସହଯୋଗରେ ପଞ୍ଚାୟତ ସମିତି ଗଠନକୁ ଏହି ଗୋଷ୍ଠୀ ଗ୍ରହଣ କରି ପାରୁ ନାହାନ୍ତି । ଦଳର ଜଣେ ବରିଷ୍ଠ ନେତା ପଞ୍ଚାନନ ରାଉତଙ୍କୁ ବଦ୍ରୀଙ୍କ ସ୍ଥାନରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ଟିକେଟ ଦିଆଯାଉ ବୋଲି ଏହି ଗୋଷ୍ଠୀ ଚାହୁଁଛନ୍ତି । କେବଳ ଭଣ୍ଡାରିପୋଖରୀ ନୁହେଁ, ଭଦ୍ରକ ଓ ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।କଂଗ୍ରେସରେ କିନ୍ତୁ ଇତିମଧ୍ୟରେ ଆସିଛି କିଛିଟା ପରିବର୍ତ୍ତନ । ନିରଂଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ ମନୋନୀତ ହେବାପରେ କଂଗ୍ରେସ କର୍ମୀମହଲରେ ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରାକ୍ତନ ସାଂସଦ ଅନନ୍ତ ସେଠୀ ଓ ପ୍ରାକ୍ତନ ଜିଲ୍ଲା ସଭାପତି ନରେନ ପଲେଇଙ୍କ ମଧ୍ୟରେ ରହି ଆସିଥିବା ତିକ୍ତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସମସ୍ତ ନେତା ଓ କର୍ମୀ ଏବେ ଗୋଟିଏ ଛତା ତଳେ ରହିଛନ୍ତି । ପୂର୍ବରୁ କଂଗ୍ରେସ ଯେଭଳି ଭାବରେ ସୁପ୍ତ ଅବସ୍ଥାରେ ରହୁଥିଲା, ଏବେ ଆଉ ସେ ଅବସ୍ଥା ନାହିଁ । ଶାସକ ଦଳର ବିଭିନ୍ନ ନିଷ୍ପତ୍ତି ଓ ନୀତିକୁ ଦଳ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଉଛି । କଂଗ୍ରେସର ଦୁର୍ବଳ ଅବସ୍ଥା ଦେଖି ପୂର୍ବରୁ ବହୁ ବରିଷ୍ଠ ନେତା ଓ କର୍ମୀ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେଇଥିବାବେଳେ, ଦଳରେ ଏବେ ଆଉ ସେପରି ପରିସ୍ଥିତି ନାହିଁ ଓ ଦଳ ସଂଗଠିତ ହେବାରେ ଲାଗିଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ତଥ୍ୟାଭିଜ୍ଞ ମହଲ ଚର୍ଚ୍ଚା କରୁଛନ୍ତି ।