Home ରାଜ୍ୟ ଥାନାରେ ଫିନାଇଲ୍ ପିଇଦେଲେ ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଥାନାରେ ଫିନାଇଲ୍ ପିଇଦେଲେ ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ପାଇଖାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗରର ପ୍ରମୋଦ ଦଳାଇ । ତାଙ୍କ ବୟସ ୨୮ ବର୍ଷ । ସୂଚନା ମିଳିଥିବା ବେଳେ ତାଙ୍କୁ ଏକ ହତ୍ୟା ଘଟଣାରେ ଗିରଫ କରାଯାଇଥିଲା ।

ଗତ ୨୩ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ବିଭୁପ୍ରସାଦ ଦାସ ଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ରାତିରେ କବିସୁର୍ଯ୍ୟନଗର ପୁଲିସ ସେହି ଘଟଣାରେ ପ୍ରମୋଦଙ୍କୁ ଉଠାଇ ନେଇଥିବା ବେଳେ ଆଜି ସକାଳେ ଥାନାରେ ଶୌଚାଳୟ ଯିବାକୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ପରେ ପ୍ରମୋଦ ଦଳାଇ ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଯୁବକ ଜଣଙ୍କ ବିବାହ ଠିକ୍ ହୋଇଥିବା ବେଳେ ଗିରଫ ପରେ ଜେଲ ଯିବାକୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।