ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରିକରାଯାଇଛି । ଓଡ଼ିଶାର ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ଆସନ ନିମନ୍ତେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଜାରି ସହ ମଙ୍ଗଳବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ସହିତ ଦ୍ୱିତୀୟ ପର୍ଯ୍ୟାୟର ଦାଖଲ ପ୍ରକ୍ରିୟା ଚାଲୁ ରହିବ ବୋଲି
କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ରଖାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶେଷ ତାରିଖ ମାର୍ଚ୍ଚ ୨୬ ରଖାଯାଇଛି । ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୧୮ରେ ଭୋଟଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ସହିତ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟଗ୍ରହଣ କରାଯିବ । ବିଧାନସଭା ଆସନଗୁଡିକ ହେଲା ପଦ୍ମପୁର, ଭଟ୍ଟଲି, ରଘୁନାଥପାଲି, ବଣାଇ, ପାଟଣାଗଡ, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ବିଜେପୁର, ବରଗଡ, ଅତାବିରା, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ, ବୀରମିତ୍ରପୁର, ରାଉରକେଲା, ରାଜଗାଙ୍ଗପୁର, ବୀରମହାରାଜପୁର, ସୋନପୁର, ଲୋଇସିଙ୍ଗା, ବଲାଙ୍ଗୀର, ଟିଟିଲାଗଡ, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି । ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନରେ ବିଜେଡ଼ି ପକ୍ଷରୁ ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, ସୁନ୍ଦରଗଡରୁ ସୁନିତା ବିଶ୍ୱାଳ, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, କନ୍ଧମାଳରୁ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ଆସିକାରୁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରାଯାଇଛି । ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ
ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିଲା ।