Home ରାଜ୍ୟ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

118

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି କଂଗ୍ରେସର ଟିକଟ କସରତ। କିଏ କେଉଁ ଆସନ ପାଇଁ ଯୋଗ୍ୟ ଓ କାହାର ବିଜୟ ସମ୍ଭାବନା ଅଧିକ ଏହାକୁ ବିଚାରକୁ ନେଇ ଚୂଡ଼ାନ୍ତ ହୋଇଛି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା। ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି(ପିଇସି) ତାଲିକା ଚୂଡ଼ାନ୍ତ କରିଛି। ରାଜ୍ୟର ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ପିଇସିର ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ନିକଟକୁ ପଠାଯିବ। ପ୍ରାୟ ସବୁ ଆସନରେ ଅଛନ୍ତି ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀ । ଗୋଟେ ଗୋଟେ ଆସନରେ ୬ରୁ ୭ ଜଣ ଲେଖାଏଁ ସମ୍ଭାବ୍ୟ ପ୍ରାର୍ଥୀ ଅଛନ୍ତି । ସ୍ଥିତି ଏଭଳି ଯେ ତାଲିକା କାଟଛାଣ୍ଟ୍ କରିବା ବି ସମ୍ଭବ ହୋଇ ନ ଥିଲା । ଶେଷରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା ।ସେହି ତାଲିକା ଉପରେ ମୋହର ମାରିବ ଏଆଇସିସି। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଅସ୍ଥାୟୀ ପ୍ରଭାରୀ ଟି.ଏସ୍‌. ସିଂହଦେଓ, ଏଆଇସିସି କର୍ମକର୍ତା ରୂଦ୍ର ରାଜୁ, ଆଦିତ୍ୟ ଶର୍ମା, ସେକ୍‌ ମସ୍ତାନ ଭାଲି ଏବଂ ପିଇସି ରାଜ୍ୟ ଆବାହକ ଅନନ୍ତ ସେଠୀ, ପିସିସି କର୍ମକର୍ତାମାନେ ଯୋଗ ଦେଇଥିଲେ। ବୈଠକ ପରେ କମିଟି ଆବାହକ ଶ୍ରୀ ସେଠୀ କହିଲେ ଯେ ପିଇସି ପ୍ରସ୍ତୁତ କରିଥିବା ପ୍ରାର୍ଥୀ ତାଲିକା ଏଆଇସିସିର ସିଇସିକୁ ପଠାଯିବ। ତେବେ ଆଗାମୀ ନିର୍ବାଚନରେ ସହଯୋଗୀ ଦଳମାନଙ୍କ ସହିତ ମେଣ୍ଟ ପ୍ରସଙ୍ଗରେ ଏଆଇସିସିକୁ ଅବଗତ କରାଯାଇଛି।

ପିଇସି ବୈଠକର ସୂଚନାନୁସାରେ ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀ ଓ ଦଳୀୟ ପ୍ରାର୍ଥୀମାନଙ୍କ ସଂପର୍କରେ ପର୍ଯ୍ୟବେକ୍ଷକମାନଙ୍କ ତୁଳନାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସ୍ପଷ୍ଟ ଧାରଣା ରହିଛି। ଏଣୁ, ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯେଉଁ ଆସନରେ ଅସୁବିଧା ସୃଷ୍ଟି ହେବ ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ତାଙ୍କୁ ଅଡ଼ୁଆ ହେବ ନାହିଁ। ଅବଶ୍ୟ ଏଆଇସିସି ନିକଟକୁ ପ୍ରାର୍ଥୀ ତାଲିକା ଯିବ। ଯେଉଁ ଆସନରେ ଚୟନ ନେଇ କୌଣସି ଅସୁବିଧା ଉପୁଜିବ, ସେ କ୍ଷେତ୍ରରେ ପିସିସି ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଏ ସଂପର୍କରେ ପିଇସି ବୈଠକରେ ଗୃହୀତ ପ୍ରସ୍ତାବ ଅନୁମୋଦନ ପାଇଁ ଏଆଇସିସିକୁ ଯିବ।