Home ରାଜ୍ୟ ‘ବିପ୍ଳବୀ ଚକରା ବିଷୋୟୀଙ୍କ ସାଲିସ୍ ବିହୀନ ସଂଗ୍ରାମ ଅବିସ୍ମରଣୀୟ’

‘ବିପ୍ଳବୀ ଚକରା ବିଷୋୟୀଙ୍କ ସାଲିସ୍ ବିହୀନ ସଂଗ୍ରାମ ଅବିସ୍ମରଣୀୟ’

ଭୁବନେଶ୍ୱର :  ଆଜି ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭଂଜନଗର ତରୁଣ
କାଳକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଚକରା ବିଷୋୟୀଙ୍କ
ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ଚକରା ବିଷୋୟୀଙ୍କ ତ୍ୟାଗ, ତିତିକ୍ଷା ଓ ନିଃସ୍ୱାର୍ଥପରତାର ପଟ୍ଟାନ୍ତର ନାହିଁ । ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନର ଶହେ ବର୍ଷ ପୂର୍ବରୁ ବ୍ରିଟିଶ ବିରୋଧରେ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ ରହିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି । ସାଂସଦ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟନ୍ତୀ ପାଳନର ପରମ୍ପରା ମାଧ୍ୟମରେ ସମ୍ପୃକ୍ତ ବୀର ପୁରୁଷଙ୍କ ଲୋକପ୍ରିୟତା ପ୍ରମାଣିତ ହୁଏ ଓ ତାଙ୍କ ପ୍ରତି ଗୋଟିଏ ଜାତିର କୃତଜ୍ଞତା ପ୍ରକାଶ ପାଏ ବୋଲି କହିଥିଲେ । ସେ ଚକରା ବିଷୋୟୀଙ୍କ ପରି ଜଣେ ସଂଗ୍ରାମୀ ବୀର ପୁରୁଷଙ୍କ
ସ୍ମୃତିଚାରଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଧିକ ଅନୁପ୍ରାଣିତ ହେବା ସହିତ ଭାରତ ଇତିହାସରେ
ଓଡ଼ିଶାର ନିଜସ୍ୱ ଆନ୍ଦୋଳନଗୁଡ଼ିକ ଉପରେ ବିଶେଷ ଭାବରେ ସଚେତନ ଓ ପ୍ରେରଣିତ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । ଘୁମୁସର ବିଦ୍ରୋହର ନେତୃତ୍ୱ ନେଇ ଚକରା ବିଷୋୟୀ ଜୀବନର ଶେଷ ପର୍ଯ୍ୟନ୍ତ ସାଲିସ୍ବିହୀନ ସଂଗ୍ରାମ କରିଥିଲେ । ସେ ମାଟି ଓ ଜାତିକୁ ଗଭୀର ଭାବରେ ଭଲ ପାଉଥିଲେ । ଏକଛତ୍ରବାଦୀ ବ୍ରିଟିଶ ଅତ୍ୟାଚାର ବିରୋଧରେ ତାଙ୍କ ବିଦ୍ରୋହ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ବ୍ୟାପି ଯାଇଥିଲା । ସେହି ସମର୍ପିତ ବିପ୍ଳବୀ ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଅବିସ୍ମରଣୀୟ ବୋଳି ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି । ଅତିଥିମାନେ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ ଶାସ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ ପାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣକ୍ରମେ ଚକରା ବିଷୋୟୀଙ୍କ ଜୀବନୀ ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ନେତାଜୀ ବିଷୋୟୀଙ୍କ ରଚିତ ଚକରା ବିଷୋୟୀଙ୍କ ଜୀବନୀ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା । ବିଭାଗ ପକ୍ଷରୁ ଅନୁଷ୍ଠିତ ଆନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟ ବକ୍ରୃତା ତଥା ପ୍ରବନ୍ଧ ପ୍ରତିଯୋଗିତା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ତରୁଣ କଳାକାର ସଂସ୍ଥାର ସଭାପତି ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପ୍ରାକ୍ତନ ସଚିବ ଡ. ମନ୍ମଥ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ା ଶେଷରେ ତରୁଣ କଳାକାର ସଂସ୍ଥା ଲୋକନୃତ୍ୟ ଗବେଷଣା କେନ୍ଦ୍ର ଦ୍ୱାରା ପରିବେଷିତ ମୁଁ ଚକରା କହୁଛି ନାଟକ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।