ଭୁବନେଶ୍ବର :ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ସରକାରଙ୍କୁ କାଠଗଡାରେ ଛିଡ଼ା କରିଛନ୍ତି। କଂଗ୍ରେସ ଆଜି ଭିନ୍ନ ଭିନ୍ନ ସମୟରେ ଗୃହରେ ସ୍ମିତାରାଣୀ ହତ୍ୟା ମାମଲା ଉଠାଇ ସରକାରଙ୍କୁ ଘେରିଛି। ଏହି ମାମଲାରେ ମୁଲତବୀ ପ୍ରସ୍ତାବ ଆଲୋଚନା ସରିବା ପରେ ବି କଂଗ୍ରେସ ପ୍ରସଙ୍ଗକୁ ଛାଡିବା ସ୍ଥିତିରେ ନାହିଁ। ବରଂ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ସତର୍କ କରାଇଛନ୍ତି ଯେ ବେଳହୁ ସାବଧାନ ନ ହେଲେ, କୋର୍ଟରେ ଅପଦସ୍ତ ହୋଇପାରନ୍ତି ସରକାର। ଏହି ମାମଲାରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି ଓ କୁନ୍ଦୁଲି ଭଳି ବଡ଼ ରାୟ ଆସିପାରେ। କେବଳ ସେତିକି ନୁହେଁ, ବିଧାନସଭାରେ କହିବା ପରେ ବି କିଭଳି ସରକାରଙ୍କ କାନରେ କଥା ପଶୁନାହିଁ ଓ ତଦନ୍ତ ପ୍ରକ୍ରିୟାରେ ଏହାର ଝଲକ ଦେଖିବାକୁ ମିଳୁନାହିଁ, ସେ ନେଇ ମଧ୍ୟ ଶ୍ରୀ ମିଶ୍ର ସମାଲୋଚନା କରିବାକୁ ପଛାଇ ନଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ସ୍ମିତାରାଣୀ ପ୍ରସଙ୍ଗରେ ଯେଉଁ ଦିଗରେ ତଦନ୍ତ ହେବା କଥା ତାହା ହେଉନାହିଁ। ବିଧାନସଭାରେ କିଛି ତଥ୍ୟ ରଖାଗଲା। ଏତଲାରେ ତାଙ୍କ ବାପା ଓ ଶ୍ବଶୁରଙ୍କ ନାମ ଉଲ୍ଲେଖ କରାଯାଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଦସ୍ତଖତ କରାଇ ନିଆଯାଇଥିଲା। ଏତଲା ପଢିଲେ ଲାଗୁଛି, ସେମାନେ ଯେମିତି ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ। ଯଦିଓ ସେମାନେ ଘଟଣାର ବହୁ ପରେ ଡକା ହେବାରୁ ଆସିଥିଲେ। ଅନ୍ୟପକ୍ଷରେ ସ୍ମିତାରାଣୀଙ୍କ ସ୍ବାମୀ ଯେଉଁ ଏତଲା ଦେଇଛନ୍ତି, ସେଥିରେ ତାଙ୍କୁ ହତ୍ୟା କରାଯାଇଥିବା ଆପତତଃ ଜଣାପଡୁଛି। କିନ୍ତୁ ତାହାକୁ ଗ୍ରହଣ ନ କରି ଦବାଇ ଦିଆଯାଇଛି କାହିଁକି?

ପରେ ଡଙ୍କାରୀ ପାହାଡ ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ଭିତରେ ପୁଣି ସ୍ମିତାରାଣୀ ପ୍ରସଙ୍ଗକୁ ଟାଣିଥିଲେ। କହିଥିଲେ ଯେ ରାମକୋ କଂପାନି ହେଉଛି ମୂଳ ମଞ୍ଜି। ପାନବାଲାକୁ ଶହ ଶହ କୋଟିର ମାଲିକ କରିଦେଇପାରେ। ଇଡି କି ଭିଜିଲାନ୍ସ କାହିଁକି ତୁନି ବସିଛନ୍ତି, ତାହା ବୁଝାପଡୁନାହିଁ। ଯାଜପୁର ଜିଲ୍ଲାର ବହୁତ ନେତା ବାହାରିଛନ୍ତି, ଯେଉଁମାନେ ଭିକାରୀଙ୍କୁ ଅରବପତି କରିଦେବେ। ସେମାନଙ୍କର ଆୟକର ରିଟର୍ଣ୍ଣ ଦେଖିଲେ ପ୍ରକୃତ କଥା ଜଣାପଡିବ। ଗୋଟିଏ ଜୀବନରେ ଏମାନେ ଏତେ କୋଟିର ମାଲିକ ହେଲେ କେମିତି?

ଶ୍ରୀ ମିଶ୍ର କହିଥିଲେ ଯେ ଏହି ମାମଲାରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଖୁବ୍ ଶୀଘ୍ର ଜନସ୍ବାର୍ଥ ମାମଲା ରୁଜୁ ହେବ। କୋଉ ଭାଷାରେ ବି ଏସପିଙ୍କୁ ନିନ୍ଦା କଲେ କମ୍ ହେବ। କେଉଁ ପରିସ୍ଥିତିରେ ରୂପେଶ ଭଦ୍ରକୁ ରିମାଣ୍ଡରେ ଆଣି ଜେରା କରାଗଲାନି? ସବୁଠାରୁ ବଡ଼ କଥା ହେଲା, ଯେଉଁ ଏତଲାକୁ ପୁଲିସ ଗ୍ରହଣ କରିଛି, ସେଠାରେ ଦୁଇଜଣଙ୍କ ଦସ୍ତଖତ ଅଛି। ମାତ୍ର ଆମେ ବଦଳରେ ମୁଁ ବୋଲି ଲେଖାଯାଇଛି। ଚୋର ଚୋରି କରିବା ବେଳେ କେଉଁଠି ନା କେଉଁଠି ପ୍ରମାଣ ଛାଡିଥାଏ। ଏହି ଘଟଣାରେ ବି ସେୟା ଘଟିଛି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ତଦନ୍ତ କରାଯାଉ ଅନ୍ୟଥା ସରକାର ସିବିଆଇ ତଦନ୍ତ କରାନ୍ତୁ।