ଭୁବନେଶ୍ୱର  : ଆଜି ଅପରାହ୍ନରେ ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବାସସୁରକ୍ଷା, ଖାଦ୍ୟସୁରକ୍ଷା, ଯୁବକଙ୍କ ସଶକ୍ତିକରଣ, ସାମାଜିକ ନିରାପତ୍ତା, ଗୁଣାତ୍ମକ ଶିକ୍ଷା, ମହିଳା ସଶକ୍ତିକରଣ, ଶିଳ୍ପ ବିକାଶ, ବସ୍ତିବାସିନ୍ଦାଙ୍କ ସୁରକ୍ଷା ଆଦି ଅନେକ କ୍ଷେତ୍ରରେ ଏହି ୫ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୨୦୧୪ ମସିହା ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଜେଡି ସରକାର ସଫଳତା ହାସଲ କରିଛନ୍ତି ।  ସେହିପରି ବିଗତ ୫ ବର୍ଷରେ ସରକାର ୨୦ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଗ୍ରାମାଞ୍ଚଳରେ ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିପିଏଲ ତାଲିକାରେ ନଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏହି ଆଭିମୁଖ୍ୟ ହାସଲ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ସେହିପରି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଜୁ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଗଣାରେ ଔଷଧ ବଣ୍ଟନ, ରୋଗ ନିରୁପଣ ଏବଂ ଚିକିତ୍ସା
ସୁବିଧା, ସବ୍ସେଣ୍ଟର ଠାରୁ ଆରମ୍ଭ କରି ମେଡିକାଲ କଲେଜ ହସ୍ପିଟାଲ ପର୍ଯ୍ୟନ୍ତ ଯୋଗାଇ
ଦିଆଯାଉଛି । ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ
ଦିଆଯାଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯାଉଛି ।
ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ୪୮ ଲକ୍ଷ ହିତାଧିକାରୀଙ୍କୁ ସରକାରୀ
ସହାୟତା ଯୋଗାଇ ଦେଇଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ ।

ସେହିପରି ୨୦୧୫ ମସିହାରୁ ଚାଷୀମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ସହାୟତା ଦିଆଯାଉଥିବା
ବେଳେ ଏବେ କାଳିଆ ଯୋଜନାରେ ବିନା ସୁଧରେ ଋଣ ଯୋଗାଣ ବ୍ୟବସ୍ଥା କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ମହିଳା ସଶକ୍ତିକରଣ ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି ।
ଏକ ପ୍ରତିଶତ ସୁଧରେ ସ୍ୱୟଂସହାୟକ ଗୋଷ୍ଠୀକୁ ଋଣ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ପ୍ରତିଶ୍ରୁତି ସରକାର ପାଳନ କରିଛନ୍ତି । ଏଥିସହିତ ଏହି ବ୍ୟବସ୍ଥା
ମାଧ୍ୟମରେ ୭୦ ଲକ୍ଷ ମହିଳା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କାର୍ଯ୍ୟକ୍ରମରେ
ସାମିଲ ହୋଇଛନ୍ତି । ସେହିପରି ରାଜ୍ୟରେ ଶିଳ୍ପ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
୩୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମେକ୍ ଇନ୍ ଓଡ଼ିଶା
କନକ୍ଳେଭ ଦ୍ୱାରା ସଫଳତା ହାସଲ କରାଯାଇପାରିଛି । ମହାନଗର ନିଗମ ଅଞ୍ଚଳରେ
ଯୋଗ୍ୟ ଗରିବ ତଥା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ବ୍ୟବସ୍ଥା
କରାଯାଇଛି । ଏଥିଲାଗି ଜାଗା ମିଶନ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ
ହୋଇଛି । ସବୁଠାରୁ ବଡ ପ୍ରତିଶ୍ରୁତି ଭାବେ ବିବେଚନା କରାଯାଉଥିବା ବିଜୁ ଏକ୍ସପ୍ରେସ୍ ୱେର ୭୦ ପ୍ରତିଶତରୁ ଉଦ୍ଧ୍ୱର୍ କାମ ଶେଷ ହୋଇଛି ଓ ଏହା ଉଦ୍ଘାଟିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।