Home ରାଜ୍ୟ ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ

ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ

111

ଭୁବନେଶ୍ୱର : ରାଜ୍ୟରେ ୫ମ ଥର ପାଇଁ ବିଜେଡି ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଫେରିବାପରେ ବିଭିନ୍ନ ପ୍ରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ନୀତି ବିରୋଧରେ ସରକାର ଏକ ପ୍ରକାର ମିଶନ ଆରମ୍ଭ କରିଦେଇଛନ୍ତି। ସେହିକ୍ରମରେ ବର୍ତ୍ତମାନ ସରକାରୀ ଗେଜେଟ୍‌ ବ୍ୟବସ୍ଥାରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗେଜେଟ୍‌ ପ୍ରସ୍ତୁତି ପରେ ତାର ବିଷୟବସ୍ତୁକୁ ଯେପରି ପରିବର୍ତ୍ତନ ଏବଂ ବିକୃତ କରା ନ ଯିବ ସେଥିଲାଗି ସେଥିରେ ଅନଲାଇନ ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାରଙ୍କ ୫-ଟି ସୂତ୍ରର ରୂପାୟନ ଦିଗରେ ବୁଧବାର ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂଆବର୍ଷ ଅବସରରେ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ସକାଶେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ତ୍ରିପାଠୀ କହିଛନ୍ତି ଯେ, ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ ଖୁଣ୍ଟ। ଏହାଦ୍ୱାରା ଗେଜେଟ୍‌ ବିଜ୍ଞପ୍ତି ତ୍ୱରିତ ଏବଂ ତ୍ରୁଟିମୁକ୍ତ ହେବ। ଏହାଦ୍ୱାରା ଟ୍ରକ ଟ୍ରକ କାଗଜର ପରିବହନ ଆବଶ୍ୟକ ପଡିବନାହିଁ। ଅନ୍ୟପଟେ ମୁଦ୍ରଣ ଖର୍ଚ୍ଚ ମଧ୍ୟ ହ୍ରାସ ହେବ। ଇ-ଗେଜେଟ୍‌ ସମ୍ପର୍କରେ ସୂଚନା ଦେବାକୁ ଯାଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି ଯେ, ଏଥିରେ ବିଭାଗ ଓ ବିଷୟଓ୍ବାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ। ଗେଜେଟ୍‌ ସକାଶେ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବନାହିଁ। ଯେକୌଣସି ବ୍ୟକ୍ତି http://egazetteodisha.nic.inରେ ଲଗ୍‌ଇନ କରି ସେମାନଙ୍କ ଆବଶ୍ୟକ ଅନୁଯାୟୀ ଗେଜେଟ୍‌ ପାଇପାରିବେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି, ଇ-ଗେଜେଟ୍‌ ହେଉଛି ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା। ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି। ଏପରି ମୁଦ୍ରଣ ଆଇ.ଟି ଆଇନର ଧାରା ୮ ଅନୁଯାୟୀ ଆଇନତଃ ସିଦ୍ଧ ଅଟେ। ଏ ସମ୍ପର୍କରେ ଦର୍ଶାଇବାକୁ ଏକ ଇ-ଗେଜେଟ୍‌ ଉପସ୍ଥାପନା କରାଯାଇଥିଲା। ସେଥିରୁ ଜଣାପଡିଛି ଯେ, ବିଭିନ୍ନ ବିଭାଗଗୁଡିକ ଇ-ଗେଜେଟ୍‌ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବାପରେ ପ୍ରକାଶନ ଲାଗି ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ ଅପଲୋଡ୍‌ କରିବେ। ଏହାଦ୍ୱାରା ଗେଜେଟ୍‌ ନମ୍ବର ଏବଂ ତାରିଖ ପୋର୍ଟାଲରେ ପ୍ରଦର୍ଶିତ ହେବ। ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି। ଫଳରେ କୌଣସି ବିଷୟ ବସ୍ତୁକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ବା ବିକୃତ କରାଯାଇପାରିବ ନାହିଁ। ଏହି ପୋର୍ଟାଲ ଏନଆଇସି ଦ୍ୱାରା ଡିଜାଇନ କରାଯାଇଛି, ଯାହା ଭାରତରେ ପ୍ରଥମ ବୋଲି କୁହାଯାଇଛି।