Home ରାଜ୍ୟ ‘କୋଭିଡ୍-୧୯’ ନାଁରେ ୫୦% ଜାଲ୍ ୱେବ୍‌ସାଇଟ୍‌! ରାଜ୍ୟବାସୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ

‘କୋଭିଡ୍-୧୯’ ନାଁରେ ୫୦% ଜାଲ୍ ୱେବ୍‌ସାଇଟ୍‌! ରାଜ୍ୟବାସୀଙ୍କୁ ସତର୍କ କରାଇଲା କ୍ରାଇମବ୍ରାଞ୍ଚ

ଟକ : ଆପଣଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) କିମ୍ବା ଆଇସିଏମଆର୍(ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ) ନାଁରେ କୌଣସି ଇ-ମେଲ୍ ଆସୁଛି କି? ଏଥିରେ ଆପଣଙ୍କୁ କୋଭି଼ଡ୍-୧୯ର ଟେଷ୍ଟିଂ କିଟ୍ କିମ୍ବା ଭ୍ୟାକ୍ସିନ୍ ମାଗଣାରେ ନେବାକୁ ହେଲେ ଏକ ଓ୍ବେବସାଇଟର ଲିଙ୍କ୍ ଖୋଲିବାକୁ କୁହାଯାଉଛି କି? ସାବଧାନ! ଏବେ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍ କୋଭିଡ୍-୧୯ ମହାମାରୀ ନାଁରେ ସାଧାରଣଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ଏଭଳି ଫେକ୍ ଇ-ମେଲ ପଠାଉଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି। ଇ-ମେଲ୍‌ର ଲିଙ୍କ୍ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀ ଅନଲାଇନରେ ଚୋରି କରିନେଉଛନ୍ତି।

ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି, ଗଲା ଜାନୁଆରିରୁ ଆଜି ସୁଦ୍ଧା ଦେଶରେ କୋଭିଡ୍-୧୯ ନାଁରେ ୧୬ ହଜାର ପାଖାପାଖି ଓ୍ବେବସାଇଟ ଖୋଲାଯାଇଛି। ଗଲା ସପ୍ତାହରେ ପାଖାପାଖି ୬ ହଜାର ଓ୍ବେବସାଇଟ୍ ଖୋଲାଯାଇଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଫେକ୍ ବା ଜାଲି ଓ୍ବେବସାଇଟ ସାଇବର ଅପରାଧୀ ଖୋଲି ସାଧାରଣ ଲୋକଙ୍କୁ ଏଭଳି ଠକିବାକୁ ସାଂଘାତିକ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ଏହି ଓ୍ବେବସାଇଟଗୁଡ଼ିକ ଅବିକଳ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନର ଓ୍ବେବସାଇଟ ପରି ଦେଖାଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ପଟେ ଲକଡାଉନ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ଏବେ ଥାନାଗୁଡ଼ିକରେ ଦୈନନ୍ଦିନ ଘଟୁଥିବା ଚୋରି, ଡକାୟତି, ଗଣ୍ଡଗୋଳ, ଦୁଷ୍କର୍ମ ଭଳି ମାମଲାର ହାର ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି। କିନ୍ତୁ ଅନଲାଇନ ଠକେଇ ମାମଲାର ହାର ଜିଲ୍ଲା ଓ୍ବାରି ବୃଦ୍ଧି ପାଇଥିବା କ୍ରାଇମବ୍ରାଞ୍ଚ ନଜରକୁ ଆସିଛି। ଲକଡାଉନ ଜାରି ହୋଇଥିବାରୁ ମାଗଣାରେ ନେଟଫ୍ଲିକ୍ସି ସବସ୍କ୍ରାଇବ କରି ଘରେ ବସି ବିଭିନ୍ନ ସିନେମା ଦେଖିବାକୁ ଲୋକଙ୍କୁ ଇ-ମେଲରେ ଅଫର ଆସୁଛି। ଇ-ମେଲର ଉକ୍ତ ଲିଙ୍କ୍ ଖୋଲିବା ମାତ୍ରକେ ସାଇବର ଅପରାଧୀ ସାଧାରଣଲୋକଙ୍କ ବ୍ୟାଙ୍କ ୟୁଜର ନେମ, ପାସଓ୍ବାର୍ଡ, କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ସମେତ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛନ୍ତି। କରୋନା ପାଇଁ ରାଜ୍ୟବାସୀ ଭୟରେ ଥିବା ବେଳେ ଅନଲାଇନରେ ସାଇବର ଅପରାଧୀଙ୍କ ଏଭଳି ଆତଙ୍କରାଜ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟବାସୀ କିଭଳି ସାଇବର ଅପରାଧୀଙ୍କ କବଳରୁ ରକ୍ଷା ପାଇବେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସତର୍କ କରାଇଛି।

କେମିତି କରୁଛନ୍ତି ‘କୋଭିଡି-୧୯’କୁ ଅସ୍ତ୍ର?
୧. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଭାଗ ନାଁରେ ମିଥ୍ୟା ସ୍ବାସ୍ଥ୍ୟ ପରାମର୍ଶବଳୀ ଜାରି କରୁଛନ୍ତି ସାଇବର ଅପରାଧୀ। ଏଗୁଡ଼ିକ ପଢ଼ିବା ପାଇଁ ଇ-ମେଲରେ ପଠାଯାଉଛି। ଉକ୍ତ ଇ-ମେଲ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିର ସମସ୍ତ ତଥ୍ୟ ସାଇବର ଅପରାଧୀ ଚୋରି କରି ନେଉଛନ୍ତି।

୨. କରୋନା ଭାଇରସ ସମ୍ପର୍କିତ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି। ଯେମିତିକି କରୋନା ଭାଇରସ ମ୍ୟାପ୍, ରିଅଲ-ଟାଇମ୍ କରୋନାଭାଇରସ ଟ୍ରାକିଂ ଆପ୍, କରୋନା ଆଣ୍ଟିଭାଇରସ୍ ଇତ୍ୟାଦି ପ୍ରସ୍ତୁତ ହୋଇଛି। ଏଗୁଡ଼ିକ ମୋବାଇଲରେ ଡାଉନଲୋଡ କରିବାକୁ କୁହାଯାଉଛି। ମୋବାଇଲ ବ୍ୟବହାରକାରୀ ଏଗୁଡ଼ିକ ଡାଉନଲୋଡ କରିବା ମାତ୍ରକେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଉଛନ୍ତି।

୩. ବିଭିନ୍ନ ଅନଲାଇନ ସପିଂ ଓ୍ବେବସାଇଟ ମାଧ୍ୟମରେ ମାସ୍କ, ସାନିଟାଇଜର, କରୋନା ଭାଇରସର ଭ୍ୟାକ୍ସିନ୍ ଇତ୍ୟାଦି ବିକ୍ରି ଆଳରେ ଠକେଇ ହେଉଛି। କରୋନା ସ୍ପେସାଲ ଅଫର ନାଁରେ ବିଭିନ୍ନ ଓ୍ବେସାଇଟରରେ ଉକ୍ତ ସାମଗ୍ରୀ ଗ୍ରାହକଙ୍କୁ ଅତି କମ ଦାମରେ ଯୋଗାଇ ଦେବାକୁ କୁହାଯାଉଛି। ତେବେ ଗ୍ରାହକ ସେଗୁଡ଼ିକ କିଣିବା ପାଇଁ ଟଙ୍କା ଜମା କରିବା ମାତ୍ରକେ ଠକେଇର ଶିକାର ହେଉଛି।

୪. କରୋନା ଭାଇରସରେ ଆକ୍ରାନ୍ତ ପରିବାର ଲୋକଙ୍କୁ ଦାଦାବାଟି ମାଗୁଛନ୍ତି ସାଇବର ଅପରାଧୀ। ସେମାନଙ୍କୁ ଇ-ମେଲ ଏବଂ ମୋବାଇଲ ମ୍ୟାସେଜରେ ଧମକ ପଠାଉଛନ୍ତି।
୫. ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ବି ସୃଷ୍ଟି କରାଯାଉଛି। ଏଗୁଡ଼ିକ ହ୍ବାଟସଆପ ଏବଂ ଟେଲିଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ସାଇଟରେ ଭାଇରାଲ କରାଯାଉଛି।