Home ରାଜ୍ୟ କରୋନା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିଲା ଆର୍ଥିକ କଟକଣା

କରୋନା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିଲା ଆର୍ଥିକ କଟକଣା

ଭୁବନେଶ୍ବର:କରୋନା ପାଇଁ କମିଛି ରାଜ୍ୟ ସରକାରଙ୍କ ରାଜସ୍ବ । ଏନେଇ ଆରମ୍ଭ ହୋଇଯାଇଛି ଖର୍ଚ୍ଚକାଟ୍‌ । ଖର୍ଚ୍ଚ କମାଇବା ପାଇଁ ଆର୍ଥିକ କଟକଣା ଲାଗୁ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ନୂଆ ନିଯୁକ୍ତି ମନା କରାଯାଇଛି । ୫ ବର୍ଷରୁ ଅଧିକ ଦିନ ଧରି ଖାଲି ପଡ଼ିଥିବା ପଦବୀ ଉଚ୍ଛେଦ ହେବ । କନ୍‌ସଲଟାଣ୍ଟ ନିଯୁକ୍ତି ଓ ଆଉଟ୍‌ସୋର୍ସିଂ ଉପରେ କଟକଣା ଲାଗିଛି । ଏହା ବାଦ କୌଣସି ବିଭାଗ ନୂଆ ଯୋଜନା କିମ୍ବା ସ୍କିମ୍‌ ଆରମ୍ଭ କରିିପାରିବେ ନାହିଁ । କେବଳ ସ୍ୱାସ୍ଥ୍ୟ ବିଭାଗ ନୂଆ ପ୍ରକଳ୍ପ ହାତକୁ ନେଇ ପାରିବ । ଲୋକଙ୍କ ସେବା ବା ଅତି ଜରୁରୀ ଥିଲେ SFC ଅନୁମତିରେ ନୂଆ ଯୋଜନା ଆରମ୍ଭ ହୋଇ ପାରିବ । ପ୍ରଚଳିତ ସ୍କିମ୍‌ର ଖର୍ଚ୍ଚ ଉପରେ ନିର୍ଦ୍ଧିଷ୍ଟ ସୀମା ନିର୍ଦ୍ଧାରଣ କରାଯିବ । ସ୍ୱାସ୍ଥ୍ୟ ବାଦ କୃଷି କ୍ଷେତ୍ରରେ ଜୀବିକା ପାଇଁ ଥିବା ସ୍କିମ୍‌ରେ ଖର୍ଚ୍ଚ ହୋଇ ପାରିବ ।

ସରକାରୀ ଅଫିସ୍‌ ଓ ବିଲ୍‌ଡିଂ ସହ ଗେଷ୍ଟ ହାଉସ୍‌ର ପୁନରୁଦ୍ଧାର ମନା ହୋଇଛି । ବର୍ଷେ ପାଇଁ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ଓ ପାର୍କ ସୌନ୍ଦର୍ଯ୍ୟକରଣ କାମ ବନ୍ଦ ରହିବ । ସରକାରୀ କାମ, ସେବା ଓ ଦ୍ରବ୍ୟ କିଣିବା ପାଇଁ ନୂଆ ଟେଣ୍ଡର ହେବ ନାହିଁ । ଅତି ଜରୁରୀ ସେବା ହେଲେ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାଇଁ ଅନୁମତି ଦରକାର । ଟେଣ୍ଡର ଯଦି ପୂର୍ବରୁ ହୋଇ ସାରିଥିବ ତେବେ ଏହାର ପୁନଃ ସମୀକ୍ଷା କରାଯିବ । କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରର ଅଂଶ ମିଳିବା ପରେ ହିଁ ରାଜ୍ୟ ସରକାର ବ୍ୟୟ ବରାଦ କରିବେ । ଏହା ସହ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଯାତ୍ରା ଓ ଗାଡ଼ି ଖର୍ଚ୍ଚ କାଟ୍‌ ହୋଇଛି । ୨ ବର୍ଷ ପାଇଁ କୌଣସି ଗାଡ଼ି କିଣିବା ଉପରେ ଲାଗିଛି କଟକଣା । ସମସ୍ତ ଅଧିକାରୀଙ୍କୁ ସରକାରୀ ଗସ୍ତ ମନା ରହିଛି । ସ୍ଥାନକୁ ନଯାଇ ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକକୁ ଗୁରୁତ୍ୱ ଦିଆଯିବ ।

ଟ୍ରେନର ପ୍ରଥମ ଶ୍ରେଣୀରେ ଗସ୍ତ କରିପାରିବେନି ସରକାରୀ କର୍ମଚାରୀ । ନୂଆ ଗାଡ଼ି ଭଡ଼ାରେ ନେଲେ ଅର୍ଥ ବିଭାଗରଠାରୁ ଅନୁମତି ନିଆଯିବ । ସରକାରୀ ଅର୍ଥରେ ବିଦେଶ ଗସ୍ତ ସହ ଦେଶରେ ବିଜ୍‌ନେସ୍‌ କ୍ଲାସରେ ବିମାନ ଯାତ୍ରା ମନା ହୋଇଛି । କେବଳ ସେତିକି ନୁହଁ ଦେଶର ବିଭିନ୍ନ ମେଟ୍ରୋ ସିଟିରେ ସରକାରୀ ଅଧିକାରୀଙ୍କ ହୋଟେଲ ରହଣି ମନା ହୋଇଛି । ଡିଜିଟାଲ ଯୋଗାଯୋଗ ଓ ସ୍ୱାସ୍ଥ୍ୟ ସରଞ୍ଜାମ ବ୍ୟତୀତ ଅନ୍ୟ ଜିନିଷ କିଣିବା ଉପରେ କଟକଣା ଲଗାଇଛନ୍ତି ସରକାର । ଗୃହ, କାର ଆଦି ପାଇଁ ଦୀର୍ଘ ମିଆଦି ଅଗ୍ରୀମ ମନା ହୋଇଛି । ଏହାସହ ୨ ବର୍ଷ ପାଇଁ LTC କୁ ସମ୍ପୂର୍ଣ୍ଣ ନାଁ କରି ଦେଇଛନ୍ତି ସରକାର । ଏନେଇ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ସମସ୍ତ ବିଭାଗକୁ ଚିିଠି ଲେଖି ଜଣାଇଛନ୍ତି ।