ଭୁବନେଶ୍ବର : ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ସାଢେ ୭ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନ ଯିବେ । ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ।

ଆସନ୍ତାକାଲି ଦିନ ୧୦ଟା ୧୦ରେ ରାଷ୍ଟ୍ରପତି ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ସଭାସ୍ଥଳକୁ ଯିବେ । ବରୁଣେଇ ପାହାଡ଼ ପାଦ ଦେଶରେ ଥିବା ପାଇକ ବିଦ୍ରୋହ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରିବେ । ବରୁଣେଇ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବରେ ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ମଧ୍ୟ ସାମିଲ ହେବେ ।