ଭୁବନେଶ୍ୱର : କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରାଯାଇଛି । ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ୍ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବିଷୟରେ ଆଇସିଏମଆର ଆଜି ଜଣାଇଛି ।
ସେହିପରି ଓଡ଼ିଶାରେ କୋଭିଡ୍-୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ ସମ୍ ହସପିଟାଲ୍ ଅନ୍ୟତମ ଭାବେ ମନୋନୀତ ହୋଇଛି । କୋଭିଡ୍-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ୍ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।