Home ରାଜ୍ୟ ସାଇକେଲ୍ ରେ ସହରରେ ବୁଲିଲେ ଜିଲ୍ଲାପାଳ-ଏସ୍‌ପି, ସଡକ ସୁରକ୍ଷା ନେଇ ଲୋକଙ୍କୁ କଲେ ସଚେତନ

ସାଇକେଲ୍ ରେ ସହରରେ ବୁଲିଲେ ଜିଲ୍ଲାପାଳ-ଏସ୍‌ପି, ସଡକ ସୁରକ୍ଷା ନେଇ ଲୋକଙ୍କୁ କଲେ ସଚେତନ

ଖଲ୍ଲିକୋଟ : ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ଛତ୍ରପୁର ମିନି ଷ୍ଟାଡିୟମ ପରିସରରୁ ସଡକ ସୁରକ୍ଷା ନେଇ ସାଇକେଲ ଚଲାଇ ଜଣସାଧାରଣଙ୍କୁ ସଚେତନତା କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ସାଇକେଲ ଚଲାଇ ସଡକ ସୁରକ୍ଷା ସଚେତନତା କରିଥିଲେ ।

ଦେଶରେ ଦୈନିକ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ହାନି ଘଟିଥାଏ । ବିଶେଷକରି ବାଇକ୍ ଚାଳକମାନେ ବିନା ହେଲମେଟରେ ଗାଡି ଚଲାଉ ଥିବାରୁ ସେମାନେ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ତେଣୁ ସର୍ବଦା ବାଇକ୍ ଚଲାଇବା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ ।

ଗଞ୍ଜାମ ଜିଲ୍ଲାରେ ୨୦୨୦ରେ ୬୧୬ଟି ସଡକ ଦୁର୍ଘଟଣା ଘଟି ୩୬୩ ଜଣଙ୍କର ମୃତ୍ୟୁ ହୋଇଛି । କାର୍ଯ୍ୟକ୍ରମରେ ଆରଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରାଲି ଛତ୍ରପୁର ମିନି ଷ୍ଟାଡିୟମରୁ ବାହାରି କଣମଣା ବାତ୍ୟା ଆଶ୍ରୟସ୍ଥଳୀ ପ୍ରାୟ ୧୦ କି.ମି. ପର୍ଯ୍ୟନ୍ତ ଚାଲିଥିଲା । ବହୁ କଲେଜ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।