Home ରାଜ୍ୟ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ ହେଲା; ଅଗଷ୍ଟ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ ହେଲା; ଅଗଷ୍ଟ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

15

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ସରକାର କଟକଣାକୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସହିଛନ୍ତି ଯେ ଜୋନ୍-୧ରେ ଥିବା ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍ ଜାରି ରହିବ । ଏତି ସହ ସେ ରାଜ୍ୟରେ ଅନଲକ୍-୨ ଗାଇଡଲାଇନ୍ ସମ୍ପର୍କରେ ଏକ ପ୍ରେସ୍‌ ମିଟରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଟିକିଏ କୋହଳ କରାଯାଇଛି । ଜୁଲାଇ ପହିଲାରୁ ଏହା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣାରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁ, ଜିମ୍ ଓ ମଲ୍ ଉପପରେ ଲାଗିଥିବା କଟକଣା ପୂର୍ବ ଭଳି ଜାରି ରହିବ । ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ଉପରେ ବି ପୂର୍ବ ପରି କଟକଣା ଜାରି ରହିବ ।

ଯେଉଁ ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍ ଜାରି ରହିବ ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ।

‘ଟୀକା ନ ବାହାରିବା ଯାଏ ଆମକୁ ଲମ୍ବା ଲଢ଼େଇ ଲଢ଼ିବାକୁ ହେବ । ବେଶୀ କରୋନା ପଜିଟିଭ୍‌ ନ ଥିବା କେତେକ କ୍ବାରେଣ୍ଟାଇନ ସେଣ୍ଟରକୁ ବନ୍ଦ କରି ଦିଆଯିବ । ମାସ୍କ ପିନ୍ଧିବାର ନିୟମକୁ ଉଲ୍ଲଘନ କରୁଥିବା ଲୋକଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରାଯିବ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସରକାରୀ କାର୍ଯ୍ୟାଳୟଗୁଡ଼ିକୁ କରୋନା ସଂକ୍ରମଣ ଠାରୁ ଦୂରରେ ରଖାଯିବା ପାଇଁ ସବୁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି । କୌଣସି ଅଫିସ୍‌ରେ ନିୟମ ଉଲ୍ଲଙ୍ଘନ ହେଲେ ସେହି ଅଫିସର ମୁଖିଆ ଦାୟୀ ରହିବେ ବୋଲି ସେ କହିଛନ୍ତି । ଉଭୟ ସରକାରୀ ଓ ବେସରକାରୀ ଅଫିସ୍‌ ପାଇଁ ଲାଗୁ ହେବ ଏହି ନିୟମ ।

କରୋନା ବିଷୟରେ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରତି ୱାର୍ଡ କମିଟିକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏ ବାବଦରେ ସାରା ରାଜ୍ୟରେ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା । ପଞ୍ଚାୟତ ସ୍ତରରେ କୋଭିଡ୍‌ କେୟାର ହୋମ୍‌ ବି ପ୍ରସ୍ତୁତ କରାଯିବ । ପ୍ରତି କୋଭିଡ କେୟାର୍‌ ହୋମରେ ରହିବ ୧୦ଟି ଶଯ୍ୟା ।

ଦେଶରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅନଲକ୍‌-୨ ଜାରି ରହିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ କଣ୍ଟେନମେଣ୍ଟ ଜୋନରେ କଟକଣା ପୂର୍ବ ପରି ଜାରି ରହିବ। ସେଠାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।