ଭୁବନେଶ୍ୱର: କଳାଠାକୁର ଶ୍ରୀଜଗନ୍ନାଥ ଓଡ଼ିଆଜାତିର ଆରାଧ୍ୟ ଦେବତା । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ନାମରେ କୌଣସି ଯୋଜନା ସରକାର କରି ନ ଥିଲେ । କିନ୍ତୁ ପ୍ରଭୁ ବଳଭଦ୍ରଙ୍କୁ କୃଷିର ଦେବତା ଭାବେ ଓଡ଼ିଆ ଜାତି ପୂଜା କରି ଆସୁଛନ୍ତି । ଯେଉଁଥିପାଇଁ ପ୍ରଭୁ ବଳଭଦ୍ର ଲଙ୍ଗଳଧାରୀ ବୋଲି ଜଗନ୍ନାଥ ସଂସ୍କୃତିରେ ରହିଛି । ବର୍ତ୍ତମାନ ୨୦୧୯ ନିର୍ବାଚନ ପାଇଁ କୃଷି ଓ କୃଷକର ସମସ୍ୟା ଦୂରୀକରଣ ଦିଗରେ ପ୍ରମୁଖ ୩ଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରତିଦ୍ୱନ୍ଦ୍ୱିତା ଚଳାଇଛନ୍ତି । ସଦ୍ୟସମାପ୍ତ ୫ଟି ରାଜ୍ୟର ନିର୍ବାଚନରେ କଂଗ୍ରେସର କୃଷିଋଣ ଛାଡ଼ ଦଳକୁ ଫାଇଦା ଦେଇଛି । କୃଷିଋଣ ଛାଡ଼ ପାଇଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ବିଜୟୀ ହୋଇଛି । ପୂର୍ବରୁ ପଞ୍ଜାବରେ ମଧ୍ୟ ଏହି କୃଷିଋଣ ଛାଡ଼ ଘୋଷଣା କରି କଂଗ୍ରେସ କ୍ଷମତାସୀନ ହୋଇଥିଲା । କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ବାଜିମାତ ଯୋଗୁଁ ଅଡୁଆରେ ପଡ଼ିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି କେନ୍ଦ୍ରରେ କ୍ଷମତାସୀନ ଥିବାରୁ କୃଷିଋଣ ଛାଡ଼ ବୋଲି ଶସ୍ତା ଘୋଷଣା କରିବାକୁ ପଛଘୁଞ୍ଚା ଦେଉଛି । ଏପରିକି କୃଷିଋଣ ଛାଡ଼ କଲେ କେତେ ଚାଷୀ ଉପକୃତ ହେବେ ତାହାର ହିସାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀଠାରେ ପ୍ରଦାନ କରିଛନ୍ତି । ବାସ୍ତବରେ ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଏହି କୃଷିଋଣ ଛାଡ଼ରେ କେତେ ଚାଷୀ ଉପକୃତ ହୋଇଛନ୍ତି, ତାହାର ହିସାବ ବର୍ତ୍ତମାନ କଂଗ୍ରେସକୁ ଅଡୁଆରେ ପକାଇଛି । କୃଷୠଣ ଛାଡ଼ ପାଇଁ ଅର୍ଥନୀତିଜ୍ଞମାନେ ବିରୋଧ ମତ ପ୍ରଦାନ କରୁଥିବାରୁ ରାଜ୍ୟରେ ବର୍ତ୍ତମାନ ଅଡୁଆ ପରିସ୍ଥିତି ଦେଖାଦେଇଛି । କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେଉ ହେଉ କୃଷିଋଣ ଛାଡ଼ କରିବାକୁ ନିଷ୍ପତ୍ତି କରି ଗଣମାଧ୍ୟମରେ ସୂଚନା ଦେଇଥିଲେ । କିନ୍ତୁ ବିଜେଡି ରାଜ୍ୟରେ ୧୯ବର୍ଷ ହେବ କ୍ଷମତାରେ ଅଛି । କଂଗ୍ରେସର ଏଭଳି କୃଷିଋଣ ଛାଡ଼କୁ ନାପସନ୍ଦ କରି ସ୍ୱତନ୍ତ୍ର ଭାବେ କୃଷି, କୃଷକ ଓ ଭାଗଚାଷୀଙ୍କ ପାଇଁ ‘କାଳିଆ’ଯୋଜନା ଘୋଷଣା କରିଛନ୍ତି । ‘କାଳିଆ’ ଯୋଜନାରେ ସରକାର ଯେଉଁ ସହାୟତା ପ୍ରଦାନ କରିବେ କୃଷକମାନଙ୍କୁ ଶୁଝିବାକୁ ପଡ଼ିବ ନାହିଁ । ଏହି ଯୋଜନାରେ କୃଷି ଶ୍ରମିକ, ଭାଗଚାଷୀ, ନିମ୍ନ ଓ ମଧ୍ୟବିତ୍ତ ଚାଷୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଚାଷୀମାନେ ଲାଭବାନ ହେବେ । ଅଧିକନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଂଗଠିତ କରି ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ ନେଇ ଓଡ଼ିଶା କୃଷକ ଉତ୍ପାଦନ ଗୋଷ୍ଠୀ ନୀତି ପ୍ରଣୟନ କରାଯାଇଛି । ‘କାଳିଆ’ ଯୋଜନାରେ ଚଳିତ ଆର୍ଥିକ ବର୍ଷ ପାଇଁ ୧୭୩୩ କୋଟି ଟଙ୍କା ଆବଶ୍ୟକ ପଡୁଛି । ଏହି ଖର୍ଚ୍ଚ ଭରଣା ପାଇଁ ସରକାର ଆକସ୍ମିକ ପାଣ୍ଠି ଅର୍ଥ ପରିମାଣ ୧୬ଶହ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ବିଜେପି ଓ କଂଗ୍ରେସ ଏହି ଯୋଜନାକୁ ନାପସନ୍ଦ କରିଥିବାବେଳେ କ୍ୟାବିନେଟ ବୈଠକରେ ‘କାଳିଆ’ ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହେବା ପରେ ବିଜେପି ଓ କଂଗ୍ରେସ ଏକରକମ ଚୁପ୍ ହେବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ବିଜେଡି ସରକାର ରାଜ୍ୟରେ ପଞ୍ଚମ ଥର ପାଇଁ କ୍ରମାଗତ ଭାବେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଆଗାମୀ ନିର୍ବାଚନରେ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ କେଉଁ ଦଳ କି ପ୍ରକାର ଯୋଜନା ରଖିଛନ୍ତି ତାହାର ପ୍ରଭାବ ପଡ଼ିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିଋଣ ଛାଡ଼ ଦ୍ୱାରା ମାତ୍ର ୫ଲକ୍ଷ ବ୍ୟକ୍ତି ଉପକୃତ ହେବେ ବୋଲି ତଥ୍ୟଭିତ୍ତିକ ହିସାବ ଦେଇ ‘କାଳିଆ’ ଯୋଜନା ଦ୍ୱାରା ରାଜ୍ୟର ଅଗଣିତ କୃଷି ଶ୍ରମିକ, ଭାଗଚାଷୀ ଓ କୃଷକମାନେ ଉପକୃତ ହେବେ ବୋଲି ଘୋଷଣା କରିଛନ୍ତି । ଏହି ଯୋଜନା ଯୋଗୁଁ ଗ୍ରାମାଞ୍ଚଳର ଚାଷୀମାନେ କୃଷିଋଣ ଛାଡ଼ ମୋହ ପ୍ରତି ପୂର୍ବଭଳି ଆଶାୟୀ ନାହାନ୍ତି । ବାସ୍ତବରେ କେଉଁ ଚାଷୀମାନେ କେଉଁ ବ୍ୟାଙ୍କରୁ କେତେ ଟଙ୍କା ଋଣ କରିଛନ୍ତି ତାହା ଗ୍ରାମାଞ୍ଚଳ ଚାଷୀମାନେ ଭଲଭାବେ ଜାଣିଛନ୍ତି । ସୀମିତ ସଂଖ୍ୟକ ଚାଷୀ କୃଷିଋଣ ଛାଡ଼ ଦ୍ୱାରା ଉପକୃତ ହେଉଥିବାରୁ ସମୁଦାୟ କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ବେଶ୍ ଲାଭବାନ ହେବ । ବର୍ତ୍ତମାନ ନିର୍ବାଚନ ପୂର୍ବରୁ ବିଜେଡି ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ‘କାଳିଆ’ ଯୋଜନା ଆରମ୍ଭ କରି ବିରୋଧୀ ବିଜେପି ଓ କଂଗ୍ରେସକୁ ଏକରକମ ମୁକାବିଲା କରିପାରିଛି ବୋଲି ରାଜନୈତିକ ମହଲରେ ଆଲୋଚିତ ହେଉଛି ।